Unknown

 

 

 

 

 

 

 

 

 

ଅନୁଗୋଳର ଭୂଗୋଳ ଓ ଇତିହାସ

ଶ୍ରୀ ଭଗବାନଚରଣ ଦାସ

 

H.P. WYLLY ESQIRE

Deputy Commissioner Angul.

 

Sir,

 

May I take the liberty of dedicating to you this humble publication however unworthy of your great name. Trusting that it will please you to accept this humble token of the feeling of deep veneration and gratitude which I entertain towards your nobleself.
 

I beg to remain,

Sir

Your most obedient servant

BHAGVAN CHARAN DAS.

•••

 

OPINION OF THE PROVINCIAL

INSPECTOR OF SCHOOLS

 

The book has been carefully compiled and the author has spared no pains to make it useful and interesting. No School in Angul and the Kandmals ought to be without it. The Sub Inspector of the Angul District would do well to Purchase a sufficiently large number of copies of this book for free distribution to students and teachers.

 

CUTTACK,

RADHANATH RAI

5-2-95,

Inspector of Schools Orissa.

•••

 

ଅନୁଗୋଳ ଡିଷ୍ଟ୍ରିକ୍ଟ

 

ବିଗତ ସନ ୧୮୯୧-୯୨ ମସିହାରେ ଅନୁଗୋଳ ଓ କନ୍ଧମାଳ ଏକ ଜିଲାରୂପରେ ପରିଣତ ହେଲା । ଏ ଓଡ଼ିଶାର ଚତୁର୍ଥ ସ୍ଥାନୀୟ ଜିଲା । ଏହାର ଭୌଗୋଳିକ ଓ ଐତିହାସିକ ବିଷୟମାନ ସଧାରଣଙ୍କର ଜ୍ଞାତ ହେବା ଆବଶ୍ୟକ । ବିଶେଷତଃ ଅନୁଗୋଳର ଇତିହାସ ଓ ଭୂଗୋଳ ପ୍ରସ୍ତୁତ କରିବା ନିମନ୍ତେ ବିଦ୍ୟାନୁରାଗୀ ବିଜ୍ଞବର ଉତ୍କଳ ବିଦ୍ୟାଳୟ ସମୂହର ମାନନୀୟ ଇନସ୍‌ପେକ୍ଟର ଶ୍ରୀଯୁକ୍ତ ରାଧାନାଥ ରାୟ‌ ମହୋଦୟ ଏ ପୁସ୍ତକ ପ୍ରସ୍ତୁତ କରିବା ନିମନ୍ତେ ଅନୁରୋଧ କରିଥିଲେ ମଧ୍ୟ ପ୍ରସ୍ତୁତ ହେଲେ ଅନୁଗୋଳସ୍ଥ ପ୍ରାଇମେରୀ ସ୍କୁଲମାନଙ୍କର ପାଠ୍ୟ ପୁସ୍ତକ ହେବ ବୋଲି ଅନୁମତି ପ୍ରଦନ କରିଥିଲେ, ଏ‌ ହେତୁ ପୁସ୍ତକସ୍ଥ ବିଷୟମାନ ଉପରୋକ୍ତ ମହୋଦୟଙ୍କ ପ୍ରଦର୍ଶିତ ଧାରାନୁଯାୟୀ ସଂଗ୍ରହ କରିବାରେ ପ୍ରବୃତ୍ତ ଥିଲି; ସମ୍ପ୍ରତି ସ୍କୁଲ ସବଇନିସ୍‌ପେକ୍ଟର ପ୍ରିୟ ବାବୁ ଶ୍ରୀନିବାସ ସିଂଙ୍କଠାରୁ ପ୍ରଭୂତ ସହାୟତା ଲାଭ କରି ସାଧାରଣରେ ପ୍ରକାଶ କରିବାକୁ ସାହାସୀ ହୋଇଅଛି । ଉଭୟ ସ୍ଥାନର ମାନଚିତ୍ର ଏହି ବହି ସହିତ ରହିବାର ସୁବିଧାଜନକ ନ ହେବାରୁ ପୃଥକ୍ ଛାପା ହେବାର ନିଶ୍ଚୟ କରାଗଲା ।

•••

 

ଅନୁଗୋଳର ଭୂଗୋଳ ବିବରଣ

 

ସୀମା–ଅନୁଗୋଳର ଉତ୍ତରରେ ରେଢ଼ାଖୋଲ, ବାମଡ଼ା ଓ ତାଳଚେର; ପୁର୍ବରେ ତାଳଚେର, ହିନ୍ଦୋଳ ଢେଙ୍କାନାଳ; ଦକ୍ଷିଣରେ ହିନ୍ଦୋଳ, ନରସିଂହପୁର ଓ ଦଶପଲ୍ଲା ଏବଂ ପଶ୍ଚିମରେ ବୌଦ, ଆଠମଲ୍ଲିକ ଓ ରେଢ଼ାଖୋଲ । ପରିମାଣଫଳ ୮୮୧ ବର୍ଗମାଇଲ । ଲୋକସଂଖ୍ୟା ୧୦୩୭୪୩ ମଧ୍ୟରୁ ଅର୍ଯ୍ୟ, ୯୩୮୪୮ ଓ ଅନାର୍ଯ୍ୟ, ୯୮୯୫ ।

 

ଅନୁଗୋଳ ୧୦ଗୋଟି ବିଷ ବା ପ୍ରଗଣାରେ ବିଭକ୍ତ । ପ୍ରତ୍ୟେକ ପ୍ରଗଣା ନାମ, ପ୍ରଧାନ ୨ ଗ୍ରାମ ସହିତ ତଳେ ଲେଖାଗଲା ।

 

ପ୍ରଗଣା–

ପ୍ରଧାନ ୨ ଗ୍ରାମ ।

ପୁରୁଣାଗଡ଼–

ପୁରୁଣାଗଡ଼ ।

ଗଣ୍ଡିବେଢ଼–

ଡୁବେ, ଡେରଜାଙ୍ଗ, ଜରଡ଼ା, କଞ୍ଜରା, ବଡ଼କେରଜାଙ୍ଗ ।

ତରାସ–

ତରାସ, ପୋକଡ଼ୁଙ୍ଗା, ଶଙ୍ଖପୁର, ଧୋକଟା, ତଳଗଡ଼, ବଲଙ୍ଗା ।

ତଳମୂଳ–

ତଳମୂଳ, ମହୀଧରପୁର, ବଶଲା, କଡ଼ଲା, ସନ୍ତରୀ, କାଙ୍ଗୁଲା, ବଲାଶିଙ୍ଗା ।

ପାଞ୍ଚଗଡ଼–

ବଳରାମପ୍ରସାଦ, ଗୋତମରା, ବୁଢ଼ାପଙ୍କ, ନୂଆତା ଓ କୁଲାଡ଼

ଖମ୍ବାକଳିଙ୍ଗା–

ଜରାଶିଙ୍ଗା, ହୁଲୁରୁଶିଙ୍ଗା, ତୁରଙ୍ଗ, କାଣ୍ଡଶର, ବାଲୁଅକଟା ।

ଉପରବିଷ–

ଛେଣ୍ଡିପଦା, କୋଶଳା, ବାଗଡ଼ିଆ, ଖମ୍ବାର, କଣଲୋଇ, ପାତ୍ରପଡ଼ା ।

ତିନିବେଶ–

ବୁର୍ଗାପର, ପରା, ଓଗୀ, ନାଉପଦା ।

ଟାଇଁସି–

ଟାଇଁସି, ବାଘମୁଣ୍ଡା ।

କନ୍ଧରା–

ଟିକରପଡ଼ା, ପୁରୁଣାକୋଟ, ଜଗନ୍ନାଥପୁର ।

•••

 

ପର୍ବତ

 

ଖଳାଆମ୍ବ (୨୫୭୮ ଫିଟ ଉଚ୍ଚ)–ମାଣିକଯୋଡ଼ୀର ଉତ୍ତର ପଶ୍ଚିମ । ସୁମିତ୍ରା (୨୧୭୨)–ତଳଗଡ଼ର ପଶ୍ଚିମ ଦକ୍ଷିଣ । ଏସରଡ଼ା (୨୧୩୨)–ପମ୍ପାସରର ଉତ୍ତର ପଶ୍ଚିମ ଶାରୀଶୁଆ (୨୦୧୦)–ହାଣ୍ଡିଗୋଡ଼ାର ପଶ୍ଚିମ ଓ ଅନୁଗୋଳ ଆଠମଲ୍ଲିକ ସୀମାରେ । କଳାପାଟ (୨୦୦୦)–ପୁରୁଣାଗଡ଼ର ପଶ୍ଚିମ । ଟଙ୍ଗାରି (୧୯୧୨)–ଜେରଙ୍ଗର ଦକ୍ଷିଣ ପଶ୍ଚିମ । ଝରଣ (୧୩୨୦)–କଣଲୋଇର ଦକ୍ଷିଣ । ପଲାମୀ (୧୨୭୨)–ଟିକରପଡ଼ାର ପୂର୍ବ । ମନ୍ଦରଗିରି (୧୧୭୦)–ତୁମଣି ଓ ମଶାପାପୁଲି ମଧ୍ୟରେ । କୁକ୍କୁଟଘାଟି (୧୦୦୦)–ମାଣିକଯୋଡ଼ୀ ଜଗନ୍ନାଥପୁର ମଧ୍ୟରେ । ସୋରିଷପାଳଘାଟି (୫୪୦)–ପୁରୁଣାଗଡ଼ର ଉତ୍ତର ।

•••

 

ନଦୀ

 

ମହାନଦୀ (୬୦ ମାଇଲ ଦୀର୍ଘ)–ଅନୁଗୋଳର ଦକ୍ଷିଣରେ ଟିକରପଡ଼ା, ହାତୀଖାଲ, ଗଇନ୍ଦି, ବେହେରାସାଇ ଦେଇ ପୂର୍ବାଭିମୁଖେ ପ୍ରବାହିତ । ଟିକରା (୧୨୫)–ବ୍ରାହ୍ମୀର ଉପନଦୀ; ବାମଡ଼ା ଓ ରେଢ଼ାଖୋଲରୁ ବାହାରି ଅନୁଗୋଳ ଓ ତାଳଚେର ଦେଇ ବ୍ରାହ୍ମୀରେ ପଡ଼ିଅଛି । ଲିଙ୍ଗରା (୧୧୦)–ବ୍ରାହ୍ମୀର ଉପନଦୀ; ଅନୁଗୋଳ ଓ ଆଠମଲ୍ଲିକ ସୀମାରୁ ବାହାରି ଅନୁଗୋଳ ଓ ହିନ୍ଦୋଳ ଦେଇ ଢେଙ୍କାନାଳ- ଖଡ୍ଗପ୍ରସାଦଠାରେ ବ୍ରାହ୍ମୀରେ ମିଶିଅଛି । ସିଙ୍ଗଡ଼ା (୭୨)–ଶାରୀଶୁଆ ପର୍ବତରୁ ବାହାରି ଅନୁଗୋଳ ଓ ତାଳଚେର ଦେଇ ବ୍ରାହ୍ମୀ ସହିତ ମିଶିଅଛି । ଅଉଁଳୀ (୪୫)–ଟିକରାର ଉପନଦୀ; ଆଠମଲ୍ଲିକରୁ ବାହାରି ଅନୁଗୋଳ ଓ ବାମଡ଼ା ଦେଇ ସରପାଲଠାରେ ଟିକରା ସହିତ ମିଶିଅଛି । ନନ୍ଦିର (୩୫)–ବ୍ରାହ୍ମୀର ଉପନଦୀ; ଦୁର୍ଗାପୁର ପାହାଡ଼ରୁ ବାହାରି ଅନୁଗୋଳ ଓ ତାଳଚେର ଦେଇ ବ୍ରାହ୍ମୀରେ ପଡ଼ିଅଛି । ବଉଳୀ (୩୦)–ଲଡ଼ଙ୍ଗି ପ୍ରଭୃତି, ପାହାଡ଼ରୁ ବାହାରି ଅନୁଗୋଳ ଦେଇ ରଙ୍କାଶିଙ୍ଗାଠାରେ ଲିଙ୍ଗରା ସହିତ ମିଶିଅଛି । ମାତିଳିଆ (୨୮)–କୃଷ୍ଣଚନ୍ଦ୍ର ପାହାଡ଼ରୁ ବାହାରି ପୁରୁଣାଗଡ଼ ଦେଇ ପରତରା ଠାରେ ଲିଙ୍ଗରା ସହିତ ମିଶିଅଛି । ବଡ଼ଯୋରା (୨୫)–କୁକ୍କୁଟଘାଟିରୁ ବାହାରି ଟିକରପଡ଼ାଠାରେ ମହାନଦୀରେ ପଡ଼ିଅଛି । ମାତଳା (୧୫)–ହିନ୍ଦୋଳରୁ ବାହାରି ତଳମୂଳ ଦେଇ ଶିମିଳିଛାଇଠାରେ ଲିଙ୍ଗରା ସହିତ ମିଶିଅଛି । ମାଦଳା (ଆଉଁଳିର ଉପନଦୀ) ପାତ୍ରପଡ଼ା ଦେଇ ଘାଟପାଳିଠାରେ ଆଉଁଳି ସହିତ ମିଶିଅଛି ।

•••

 

ପ୍ରଧାନ ୨ ସ୍ଥାନ

 

ପୁରୁଣାଗଡ଼–ଏହା ପୂର୍ବେ ରାଜାଙ୍କର ଗଡ଼ ଥିଲା । ବର୍ତ୍ତମାନ ଏଠାରେ ସରକାରୀ କଚେରୀ, ସ୍କୁଲ, ଡାକ୍ତରଖାନା ପ୍ରଭୃତି ଅଛି । ଏସ୍ଥାନର ପ୍ରାକୃତିକ ଦୃଶ୍ୟ ମନୋହର, ମାତ୍ର ଜଳବାୟୁ ଅସ୍ଵାସ୍ଥ୍ୟକର ଅଟେ । କୃଷ୍ଣଚକ୍ର–ଘୁମୁସରର ପ୍ରଧାନ ବିଦ୍ରୋହୀ ଚକ୍ର ବିଶୋଇଙ୍କ ପରାମର୍ଶକ୍ରମେ ଅନୁଗୋଳର ଶେଷ ରାଜା ସୋମନାଥ ସିଂହ ଏଠାରେ ଗଡ଼ ପ୍ରସ୍ତୁତ କରାଇଥିଲେ ଏବଂ ଏ ଏହି ସ୍ଥାନରେ ଇଂରାଜଙ୍କଦ୍ଵାରା ଧୃତ ହୋଇଥିଲେ । ଏଠାରେ ଅଭ୍ର ମିଳେ ।

 

କୁକ୍କୁଟଘାଟି–ଏଠାରେ ବିଶେଷ ବଳିଆକୁକୁର ଓ ବଣ୍ୟକୁକ୍କୁଟ ମିଳନ୍ତି ।

 

ବଳରାମପ୍ରସାଦ–ବଳରାମପ୍ରସାଦ, ଗୋତମରା, ବୁଢ଼ାପଙ୍କ, ନୂଆତୀଓକୁଲାଡ଼-ଏହି ପାଞ୍ଚଗ୍ରାମରେ ଅନୁଗୋଳ ରାଜାଙ୍କର ଗୋଟିଏ ୨ ଗଡ଼ ଥିଲା । ତାହାର ଚିହ୍ନ ଅବଧି ରହିଅଛି । ବୁଢ଼ାପଙ୍କଠାରେ ଅନୁଗୋଳ ଓ ଢେଙ୍କାନାଳ ରାଜାମାନଙ୍କର ଲଢ଼ାଇ ହୋଇଥିଲା । ପୂର୍ବେ ବଳରାମପ୍ରସାଦ ଶିବଦାସ ଜଗଦ୍ଦେବଙ୍କ ରାଜଧାନୀ ଥିଲା । ବର୍ତ୍ତମାନ ଏଠାରେ ସରକାର ଫାଣ୍ଡି ଓ ସ୍କୁଲ ଅଛି । ଗୋତମରାଠାରେ କୁମାରପୁର୍ଣ୍ଣିମା ଦିନ ଗୋଟିଏ ଯାତ୍ରା ହୁଏ ।

 

ସନ୍ତରୀ–ଏଠାରେ କାର୍ତ୍ତିକପୂର୍ଣ୍ଣିମା ଦିନ ଲୋଭୀ ଠାକୁରାଣୀଙ୍କ ପୂଜା ଉପଲକ୍ଷରେ ଗୋଟିଏ ବୃହତ ମେଳା ହୁଏ । ଏଠାରେ ସରକାରୀ ସହାଯ୍ୟପ୍ରାପ୍ତ ଗୋଟାଏ ଉଚ୍ଚ ପ୍ରାଇମେରୀ ସ୍କୁଲ ଅଛି ।

 

ତଳମୂଳ–ବୃହତ୍‍ଗ୍ରାମ । ଏଠାରେ ଦୁର୍ଗାଦେବୀଙ୍କର ମନ୍ଦିର ଅଛି । ଦୁର୍ଗାଙ୍କର ସମ୍ମୁଖରେ ଦଶଦିଗପାଳଙ୍କ ପ୍ରତିମୂର୍ତ୍ତିମାନ ସ୍ତମ୍ଭାକାରରେ ସ୍ଥାପିତ ଅଛି । ଏହାକୁ ଲୋକେ “ଦଶଖୁମ୍ବ” କହନ୍ତି । ଏ ମନ୍ଦିରର ଦକ୍ଷିଣ ପଶ୍ଚିମ କିଛି ଦୂରରେ ଭୋଳେଶ୍ଵର ମହାଦେବଙ୍କ ମନ୍ଦିର । ଏହାର ପାର୍ଶ୍ଵରେ ଶରାକୃତି ଏକ ବୃହତ୍‍ ପ୍ରସ୍ତର ଭୂମି ଭେଦ କରି ପଡ଼ିଅଛି । ଏହାକୁ ଅର୍ଜୁନଙ୍କର ଶର ବୋଲି କହନ୍ତି । ଏସ୍ଥାନର ଚନ୍ଦନଯାତ୍ରା ପ୍ରଧାନ ।

 

ମହୀଧରପୁର–ଏଠାରେ ସରକାରୀ ବଙ୍ଗଳା ଓ ଫାଣ୍ଡି ଅଛି । ତଳମୂଳ ନକଟବର୍ତ୍ତୀ ପଦ୍ମପାଦ ଯୋରରେ ରାମନ୍ଦ୍ରଙ୍କର ପଦଚିହ୍ନ ଅଛି ।

 

ତଳଗଡ଼–ଜଗନ୍ନାଥଙ୍କର ଦାନଗ୍ରାମ । ଏଠାରେ କମଳାଲେମ୍ବୁ ମିଳେ ।

 

ବଲଙ୍ଗ–ଏସ୍ଥାନରେ ଉତ୍କୃଷ୍ଟ ଚାଉଳ ମିଳେ । ଏହା ପୂର୍ବେ ରାଜାମାନଙ୍କର ଗୃପ୍ତସ୍ଥାନ ଥିଲା । ସ୍ଥାନଟି ପର୍ବତବେଷ୍ଟିତ ।

 

ପୋକତୁଙ୍ଗା–ଏଠାରେ ଗୋଟିଏ ସରକାରୀ ସ୍କୁଲ ଅଛି । ଏହାର ନିକଟବର୍ତ୍ତୀ ନନ୍ଦପୁର, ମାଧପୁର, ବ୍ରହ୍ମପୁର ପ୍ରଭୃତି ଗ୍ରାମମାନ ବଉଳୀବନ୍ଧ ପାର୍ଶ୍ଵରେ ସ୍ଥିତ । ନନ୍ଦପୁର ଓ ମାଧପୁରରେ ପାନର ବରଜ ଅଛି ।

 

ତୁମୁଣି–ପୁରୁଣାଗଡ଼ର ଉତ୍ତର ପୂର୍ବ ପ୍ରାୟ ୨ ମାଇଲ ଦୂରରେ ସ୍ଥିତ । ଏଠାରେ ଅନୁଗୋଳର ଇଷ୍ଟଦେବତା “କଳାପାଟ”ଙ୍କର ଧ୍ଵଜା (ଆଲମ) ସଂସ୍ଥାପିତ ଅଛି । ଭାଦ୍ର ମାସରେ ଏହି ଧ୍ଵଜା ନୀତ ହୋଇ କଳାପାଟଙ୍କର ଆଦି ପିଠସ୍ଥାନ କଳାପାଟ ପର୍ବତରେ ବାର୍ଷିକ ପୂଜା ହୁଏ ।

 

ଛେଣ୍ଡିପଦା–ଏଠାରେ ସରକାରୀ ଫାଣ୍ଡି ଓ ସ୍କୁଲ ଅଛି ।

 

କଣଲୋଇ–ଏସ୍ଥାନର ଜଳବାୟୁ ପୁରୁଷଙ୍କ ପକ୍ଷେ ଅସ୍ଵାସ୍ଥ୍ୟକର । ଏସ୍ଥାନର ପୁରୁଷମାନେ ଦେଖିବାକୁ ରୁଗ୍ଣକାୟ । ଏହାର ନିକଟବର୍ତ୍ତୀ ପର୍ବତରୁ ଡାଳିମ୍ବା ପଥର ମିଳେ । ଏଠାରେ ସୁକୁମାରୀ ନାମରେ ଗୋଟିଏ ନିର୍ଝର ଅଛି ।

 

ପାତ୍ରପଡ଼ା–ଏହାର ନିକଟବର୍ତ୍ତୀ ମାଦଳା ଯୋରରେ ପଥର କୋଇଲାର ଖଣି ଅଛି ।

 

କୋଶଳା–ବୃହତ୍‍ଗ୍ରାମ, ଏଠାରେ ଭାଦ୍ର ମାସରେ ରାମଚଣ୍ଡୀ ଠାକୁରାଣୀଙ୍କ ପୂଜା ଉପଲକ୍ଷରେ ଏକ ବୃହତ ମେଳା ବା ଯାତ୍ରା ହୁଏ । ଏଠାରେ ଗୋଟିଏ ସରକାରୀ ସ୍କୁଲ ଅଛି ।

 

ଦୁର୍ଗାପୁର–ବୃହତ୍‍ଗ୍ରାମ, ଏଠାରେ ସରକାରୀ ଫରେଷ୍ଟ ବଙ୍ଗଳା ଅଛି । ଗହମ ଓ ବୋଟ ଚାଷ ହୁଏ ।

 

ଟିକରପଡ଼ା–ଅନୁଗୋଳର ବନ୍ଦର, ଏଠାରେ ସରକାରୀ ଫାଣ୍ଡି ଓ ଫରେଷ୍ଟ ବଙ୍ଗଳା ଅଛି-

 

ଟାଇଁସି ଓ ବାଘମୁଣ୍ଡା–ଏ ଦୁଇ ଗ୍ରାମରେ ଦୁଇଟି ଫରେଷ୍ଟ ବଙ୍ଗଳା ଅଛି ।

 

ଛୋଟକୁଇ–ପୁରୁଣାକୋଟର ପୂର୍ବ ଏକକ୍ରୋଶ ଦୂରରେ ସ୍ଥିତ । କନ୍ଧ ରାଜତ୍ଵ ସମୟରୁ ଏଠାରେ କନ୍ଧମାନଙ୍କର ପ୍ରଧାନ ଦେବତା “ଛୋଟକୁନୀ” (ଛୋଟକୁଇ) ଠାକୁରାଣୀ ଅଛନ୍ତି । କନ୍ଧ ଦେହୁରିଦ୍ଵାଗ୍ ଅବଧି ଏହାଙ୍କର ପୂଜା ହେଉଅଛି । ଦଶହରା ସମୟରେ ଏହାଙ୍କର ବାର୍ଷିକ ପୂଜା ହୁଏ ଓ ନିକଟବର୍ତ୍ତୀ ଲୋକମାନେ ରୁଣ୍ଡ ହୁଅନ୍ତି ।

 

ହାତିଖୋଲ–ମହାନଦୀ କୂଳରେ ସ୍ଥିତ, ଏଠାରେ ବିସ୍ତାର ହସ୍ତୀ ମିଳନ୍ତି । ନୂଆଖେତା, କନ୍ତମେଘ, ବଲାଙ୍ଗ ଓ ପୁରୁଣାକୋଟଆଦି ସ୍ଥାନମାନଙ୍କରୁ କାଗଜୀ ଓ କମଳାଲେମ୍ବୁ ମିଳେ ।

 

ଜେମାଦେଈପୁର ବା ହୁଲୁରୁଶିଙ୍ଗା–ଲିଙ୍ଗରା କୂଳରେ ସ୍ଥିତ । ଏହା ଗୋଟିଏ ବ୍ରାହ୍ମଣ ଶାସନ, ପୁରୁଣାଗଡ଼ ଅତି ଅସ୍ଵାସ୍ଥ୍ୟକର ହେତୁ ସେଠାରୁ ସରକାରୀ କଚେରୀ, ପୁଲିସ, ସ୍କୁଲ, ଡାକ୍ତରଖାନା ଓ ଇଞ୍ଜିନିରଅଫିସ ଆଦି ଏ

ସ୍ଥାନକୁ ସ୍ଥାନାନ୍ତରିତ ହେଉଅଛି ।

 

ଶୁକଶାରୀ ପର୍ବତ–ଏଠାରେ ଶୁକଶାରୀ ପ୍ରଭୃତି ଗୃହପାଳିତ ପକ୍ଷୀ ଅନେକ ମିଳନ୍ତି ।

 

ଟଙ୍ଗାରି ବା ବୁଢ଼ାବୁଢ଼ୀ ପର୍ବତ–ଏଠାରେ ବୁଢ଼ାବୁଢ଼ୀ ଦେବ ଦେବୀ ଅଛନ୍ତି, ଚୈତ୍ରମାସରେ ଏଠାରେ ଗୋଟିଏ ଯାତ୍ରା ହୁଏ ।

 

ତରାସ–ଏ ପ୍ରଗଣା ଅପେକ୍ଷାକୃତ ଉର୍ବର, ଏଠାରେ ପୂର୍ବେ ପାଇକ ଗଡ଼ ଥିବାର ପରିଚୟ ମିଳେ । ଏଠା କାଳୁଆପୀଠ ପ୍ରଧାନ ଅଟେ ।

•••

 

ପ୍ରଧାନ ୨ ସଡ଼କ ଓ ବାଣିଜ୍ୟପଥ

 

ଅନୁଗୋଳରୁ ଢେଙ୍କାନାଳବାଟେ କଟକ ସଡ଼କ । ଅନୁଗୋଳ ପୁରୁଣାଗଡ଼ଠାରୁ ସମ୍ବଲପୁର, ଛେଣ୍ଡିପଦା, ଟିକରପଡ଼ା ଓ ହିନ୍ଦୋଳ ସଡ଼କ ।

 

ବାଣିଜ୍ୟ ପ୍ରଥମଧ୍ୟରେ ଉପରୋକ୍ତ ସଡ଼କମାନ ସ୍ଥଳପଥ ଏବଂ ଟିକରା ଆଉ ମହାନଦୀ ଜଳପଥ ଅଟେ । ସ୍ଥଳପଥର ପ୍ରଧାନ ବାଣିଜ୍ୟ ଦ୍ରବ୍ୟ ଚାଉଳ ଓ ଜଡ଼ା ଆଦି ଏବଂ ଜଳପଥର ପ୍ରଧାନ ବାଣିଜ୍ୟ ଦ୍ରବ୍ୟ କାଠ ବାଉଁଶାଦି କଟକ ରପ୍ତାନି ହୁଏ । ଟିକରପଡ଼ା ଓ କେରଜାଙ୍ଗ, ଅନୁଗୋଳର ବନ୍ଦର ଅଟେ ।

•••

 

ଖଣିଜ ପଦାର୍ଥ

 

ପଥରକୋଇଲା–ପାତ୍ରପଡ଼ା ନିକଟବର୍ତ୍ତୀ ମାଦଳା ଯୋରରେ ଓ ରାଇଝରଣ ନିକଟବର୍ତ୍ତୀ ସ୍ଥାନରେ ମିଳେ ।

 

ଅଭ୍ର–ତଳମୂଳ, ମାଣିକଯୋଡ଼ୀ, ଜଗନ୍ନାଥପୁର ପୁରୁଣାକୋଟ ନିକଟବର୍ତ୍ତୀ ସ୍ଥାନରେ ପ୍ରାପ୍ତ ହୁଏ ।

 

ସ୍ଵର୍ଣ୍ଣ–ଆଉଁଳୀ ଓ ଟିକରାର ବାଲିରୁ ଝରାମାନେ ସ୍ଵର୍ଣ୍ଣରେଣୁ କଷ୍ଟରେ ବାହାର କରନ୍ତି ।

 

ଲୌହ–ଉପରବିଷ ତିବୁଡ଼ ପ୍ରଭୃତି ସ୍ଥାନରେ ଲୁହୁରା ଓ ଗୋଦଡ଼ାମାନେ ମାଙ୍କଡ଼ା ପଥରରୁ ଲୌହ ପ୍ରସ୍ତୁତ କରନ୍ତି ।

 

ଚୂର୍ଣ୍ଣପ୍ରସ୍ତର–ମାଣିକଯୋଡ଼ୀ ଓ ବଳରାମପ୍ରସାଦରୁ ଅସୁରଅସ୍ଥି ନାମରେ ଚୂର୍ଣ୍ଣ ପ୍ରସ୍ତର ବହୁପରିମାଣରେ ମିଳଇ ।

 

ପ୍ରଧାନ ୨ ଆମଦାନୀ ଦ୍ରବ୍ୟ

 

ଲୁଗା, ଲୁଣ, ସୂତା, ଅଫିମ, ମସଲା, ପାନ, ଗୁଆ, ନଡ଼ିଆ, ଗୁଡ଼ାଖୁ, କାଗଜ, କନ୍ଦ, ଚିନି, କିରାସିନ ତେଲ, ସୁନା, ରୂପା, ତମ୍ବା, ପିତ୍ତଳ, ରସ, ଖପର ଓ କଂସା ପ୍ରଭୃତି ।

 

ପ୍ରଧାନ ୨ ରପ୍ତାନୀ ଦ୍ରବ୍ୟ

 

ଚାଉଳ, ଧାନ, ମୁଗ, ବ୍ରୀହି, ଜଡ଼ା, ସୋରିଷ, ରାଶି, କୋଳଥ, ଚଣା, କପା, ଟସର (କୋଷା) ଖଇର, ଝୁଣା, ମହିଷଶୃଙ୍ଗ ଓ ଗୋରୁ ମହିଷ ଚମଡ଼ା ଏବଂ ଶାଳ, ପିଆଶାଳ, ଶିଶୁ, ବାନ୍ଧଣ ପ୍ରଭୃତି ପ୍ରଧାନ ୨ କାଷ୍ଠ ଓ ବାଉଁଶ ।

•••

 

ପ୍ରଧାନ ୨ ବଣ୍ୟଜନ୍ତୁ

 

ହସ୍ତୀ, ବ୍ୟାଘ୍ର, ବରାହ, ଭଲ୍ଲୁକ, ହରିଣ, ସମ୍ବର, ନୀଳ ପ୍ରଭୃତି ପଶୁ, ମୟୁର, କୁକ୍କୁଟ, ହଂସ, ସାରସ, କୋକିଳ, ଶାରୀ, ଶୁଆ, ଶକୁନି, କପୋତ, ହରଡ଼ ପ୍ରଭୃତି ପକ୍ଷୀ ଓ ଅଜଗର, ମଣିଚୂଳ, ଅହିରାଜ, ଗୋଖର, ବୋଡ଼ା ପ୍ରଭୃତି ସର୍ପ ପ୍ରଧାନ ।

 

ଅନୁଗୋଳର ପ୍ରାକୃତିକ ଦୃଶ୍ୟ–ଅନୁଗୋଳ ପ୍ରାକୃତିକ ଦୁଇଭାଗରେ ବିଭକ୍ତ, ଯଥା; ୧ମ-ଅରଣ୍ୟ ଓ ପାର୍ବତୀୟଭୂମି ଏବଂ ୨ୟ ସମତଳ ଓ ପ୍ରାନ୍ତର ଭୂମି, ଉପରବିଷ ଓ ତରାସର କେତେକ ଅଂଶ ପୁରୁଣାଗଡ଼, ତିନିଦେଶ, ଟାଇସି ଓ କନ୍ଧରା ବିଷମାନ ଅରଣ୍ୟ ଓ ପର୍ବତରେ ପୂର୍ଣ୍ଣ-। ଏ ଅଞ୍ଚଳର ପ୍ରାୟ ସମସ୍ତ ଅରଣ୍ୟ ସରକାରଙ୍କର ରକ୍ଷିତ ବନ ଅଟେ । ଏ ଅଞ୍ଚଳର ଜଳବାୟୁ ନିତାନ୍ତ ଅସ୍ଵାସ୍ଥ୍ୟକର । ଅଧିବାସୀ ସଂଖ୍ୟା ଅପେକ୍ଷାକୃତ ଊଣା । କନ୍ଧରା, ଟାଇଁସି ଓ ତରାସର କେତେକ ଅଂଶର ଦୃଶ୍ୟ ଠିକ୍ କନ୍ଧମାଳ ସଦୃଶ ଅଟେ ।

 

୨ୟ-ପାଞ୍ଚଗଡ଼, ଖମ୍ବାକଳିଙ୍ଗା, ତଳମୂଳ ଓ ଉପରବିଷ ଏବଂ ତାରାସର କିୟଦଂଶ ଦେଖିବାକୁ ସମତଳ ଓ ପ୍ରାନ୍ତରମୟ । ଏ ଅଞ୍ଚଳରେ ପ୍ରାୟ ଅରଣ୍ୟ ନାହିଁ । ସମସ୍ତ ଭୂମି ଶସ୍ୟ କ୍ଷେତ୍ରରେ ପରିଣତ । ଏ ଅଞ୍ଚଳର ଜଳବାୟୁ ଅନେକ ପରିମାଣରେ ସ୍ୱାସ୍ଥ୍ୟକର ।

 

ଏ ସ୍ଥାନୀୟ ବାସିମାନେ ଆଦିମବାସୀ, ମିଶ୍ରଜାତ, ପାଶ ଓ ଚଷା ଅଟନ୍ତି, ଆଉ ଯେଉଁମାନେ ଯାଇ ଉପନିବେଶ ସ୍ଥାପନ କରିଅଛନ୍ତି ସେମାନେ କ୍ଷତ୍ରିୟ, ବ୍ରାହ୍ମଣ, କରଣ ପ୍ରଭୃତି ଅଟନ୍ତି । ଏ ସମସ୍ତଙ୍କର ବିସ୍ତାରିତ ବିବରଣ ଲେଖିବାର କୌଣସି ପ୍ରୟୋଜନ ନ ଥିବାରୁ ପରିତ୍ୟକ୍ତ ହେଲା ।

•••

 

ଅନୁଗୋଳର ଐତିହାସିକ ବିବରଣ

 

କନ୍ଧ, ଗଣ୍ଡ, ଗୋଦଡ଼ା, ସାନ୍ତାଳ, ତଅଁଳା, ପାଣ, ହାଡ଼ି ପ୍ରଭୃତି ଅନାର୍ଯ୍ୟ ଜାତିମାନେ ଅନୁଗୋଳର ଆଦିମ ନିବାସୀ ଥିଲେ । ଏମାନଙ୍କ ମଧ୍ୟରୁ କନ୍ଧମାନେ ପ୍ରଧାନ ଥିଲେ । ଅନାର୍ଯ୍ୟମାନଙ୍କ ମଧ୍ୟରେ କୌଣସି ନିୟମିତ ଶାସନପ୍ରଣାଳୀ ନ ଥିଲା । କୌଣସି ବିବାଦ ବା କଳହ ଘଟିଲେ ବୟସାଧିକ କନ୍ଧମାନେ ତାହା ନିଷ୍ପତ୍ତି କରୁଥିଲେ । ଏହିପରି କେତେକ ପୁରୁଷ ଗଲା ପର ପ୍ରତି ଗ୍ରାମରେ ଜଣେ ୨ କନ୍ଧ ମଳିକ ବା ପ୍ରଧାନ ଦେଲେ । ବୁଦ୍ଧିମାନ୍ ଓ ବଳବାନ୍ କନ୍ଧମାନେ ସମସ୍ତଙ୍କର ଇଚ୍ଛାକ୍ରମେ ମଳିକମାନଙ୍କ ଉପରେ ସରଦାର ହେଉଥିଲେ । ଏମାନଙ୍କୁ ମୁଠାଦାର କହୁଥିଲେ । ମୁଠାଦାରକୁ ସମସ୍ତେ ରାଜା ତୁଲ୍ୟ ଜ୍ଞାନ କରୁଥିଲେ । ଏକ ମୁଠାଦାରର ମୃତ୍ୟୁ ପର ତାହାର କେହି ଉତ୍ତରାଧିକାରୀ ନ ଥିଲେ ଅନ୍ୟ ବୁଦ୍ଧିମାନ୍ ଓ ବଳବାନ୍ କନ୍ଧ ମୁଠାଦାର ହେଉଥିଲା ଓ ମୁଠାଦାର ହେଲା ସମୟରେ ସମସ୍ତ କନ୍ଧ ଜାତିକୁ ମଦ ମାଂସ ପ୍ରଭୃତି ଭୋଜି ଦେଇ, ଆଉ ଦିନ-ଦେବତା (ଦିନୁପିନୁ ସୂର୍ଯ୍ୟ) ଓ ରାତିଦେବତା (ରାନ୍ଦିନୁପିନୁ-ଚନ୍ଦ୍ର)ଙ୍କୁ ସାକ୍ଷ କରି, ପୂର୍ବ ମୁଠାଦାରର ଖଡ୍ଗ ଧାରଣ ପୂର୍ବକ ପୂର୍ବ ମୁଠାଦାର ପରିବାରର ଲାଳନ ପାଳନ ଭାର ସ୍ଵହସ୍ତରେ ଗ୍ରହଣ କରୁଥିଲା-

 

ମୁଠାଦାରମାନେ ପରେ ଦଳପତି ଆଖ୍ୟା ଧାରଣ କଲେ । ଅନୁଗୋଳର ଶେଷ କନ୍ଧ ସରଦାରମାନେ ଦଳପତି ଥିଲେ । ଇନ୍ଦ୍ର ଦଳପତିଠାରୁ ଅନୁବଳବନ୍ତରା ଦଳପତି ପର୍ଯ୍ୟନ୍ତ ୬ ଜଣ ଖ୍ରୀଃ ୭୦୦ ଠାରୁ ୯୫୦ ଖ୍ରୀଃ ପର୍ଯ୍ୟନ୍ତ ଅନୁଗୋଳରେ ସରଦାରୀ କରିଥିଲେ । ଏ ସମୟରେ କନ୍ଧମାନଙ୍କର ରୀତି ନୀତି ଆଧୁନିକ କନ୍ଧମାଳନିବାସୀ କନ୍ଧମାନଙ୍କ ପ୍ରାୟ ଥିଲା । କନ୍ଧମାନେ ଲେଙ୍ଗୁଟି ପିନ୍ଧୁଥିଲେ ଓ ମୃଗୟାରେ ଜୀବନ ରକ୍ଷା କରୁଥିଲେ । ଇନ୍ଦ୍ର ଦଳପତି ସମୟରେ କନ୍ଧମାନଙ୍କ ରୀତି ନୀତି କେତେକ ପରିମାଣରେ ପରିବର୍ତ୍ତିକ ହୋଇଥିଲା । କନ୍ଧମାନେ ଲୁଗା ପିନ୍ଧି ଶିଖିଲେ ଓ ଚାଷ କରିବାକୁ ପ୍ରବୃତ୍ତ ହେଲେ । ଶାସନପ୍ରଣାଳୀ ମଧ୍ୟ, ଏ ସମୟରୁ କିଞ୍ଚିତ ଶୃଙ୍ଖଳାବଦ୍ଧ ହୋଇଥିଲା । ଇନ୍ଦ୍ରଦଳପତି ସମୟରୁ ଓଡ଼ିଶା ରାଜା ଅନୁଗୋଳରୁ ପ୍ରଥମେ ବାର୍ଷିକ କର (ପେସ୍‌କସ୍) ପାଇବାର ଧାର୍ଯ୍ୟ ହୋଇଥିଲା ଓ ପରବର୍ତ୍ତୀ ଦଳପତିମାନେ ଓଡ଼ିଶା ରାଜାଙ୍କୁ ନିୟମିତ ବାର୍ଷିକ କର ଦେଉଥିଲେ । ଇନ୍ଦ୍ର ଦଳପତି ସମୟରେ ପଦ୍ମ କେଶରୀ ଓଡ଼ିଶାର ରାଜା ଥିଲେ । ଏହି ସମୟରେ ବୌଦ ଓ ଦଶପଲ୍ଲାରେ କନ୍ଧମାନେ ଓ ଢେଙ୍କାନାଳରେ ଶବରମାନେ ସରଦାରୀ କରୁଥିଲେ ।

 

ଇନ୍ଦ୍ର ପରବର୍ତ୍ତୀ ଚାରିଜଣ ଦଳପତିଙ୍କ ସମୟରେ କୌଣସି ପ୍ରଧାନ ବିଷୟ ଘଟି ନ ଥିଲା-। ଅନୁବଳବନ୍ତରା ଦଳପତି ଅନୁଗୋଳର ଶେଷ କନ୍ଧ ସରଦାର ଥିଲେ । ଅନୁ ସାହସୀ, ବୁଦ୍ଧିମାନ୍ ଓ କିଞ୍ଚିତ୍‍ ଶିକ୍ଷିତ‌ ଥିବାର କଥିତ ଅଛି । ସେ ପ୍ରଥମେ ରାଜ୍ୟର ବିଷୟ ଉତ୍ତମରୂପେ ବୁଝୁଥିବାରୁ ସେମାନଙ୍କର ପ୍ରିୟ ହୋଇଥିଲେ । କିନ୍ତୁ ପରେ ମଦ୍ୟପାୟୀ ଓ ମୃଗୟାଶକ୍ତ ହୋଇ, ନାନା ଅତ୍ୟାଚାର କରିବାକୁ ଲାଗିଲେ, ମଧ୍ୟ ଓଡ଼ିଶା ରାଜାଙ୍କୁ ନିୟମିତ ରୂପେ ବାର୍ଷିକ କର ଦେଲେ ନାହିଁ-। ଏହି ପ୍ରକାର ନାନା କାରଣରୁ ଅନୁଙ୍କପ୍ରତି ସମସ୍ତେ ଅସନ୍ତୁଷ୍ଟ ହେଲେ । ଅନୁଙ୍କର ଆତ୍ମୀୟ ଓ ନିଜ କର୍ମଚାରୀମାନେ ସୁଦ୍ଧା ତାଙ୍କର ବିରୋଧୀ ହୋଇ ଉଠିଲେ ।

 

ଏହି ସମୟରେ ମଥୁରାରୁ ଚାରିଜଣ କଦମ୍ବ ବଂଶୀୟ କ୍ଷତ୍ରିୟ ପୁରୀ ଜଗନ୍ନାଥ ଦର୍ଶନକୁ ଆସି ତତ୍‌କାଳୀନ ଓଡ଼ିଶାଧିପତି ନୃପ କେଶରୀଙ୍କ ସହିତ ପରିଚିତ ହୋଇଥିଲେ । ସେମାନେ ଘଟନାକ୍ରମେ ଅନୁ ରାଜ୍ୟର ସମସ୍ତ ବିଷୟ ଶ୍ରବଣ କରି ଅନୁରାଜ୍ୟ ଦେଇ ସ୍ଵରାଜ୍ୟରୁ ଫେରି ଯିବାର ସ୍ଥିର କଲେ । ଏହି ସମୟରେ ନୃପ କେଶରୀଙ୍କ ଦୂତ ଅନୁରାଜ୍ୟକୁ ଆସୁଥିଲା । ସେମାନେ ଦୃଢ଼ ସହିତ ଆସି ଅନୁ ରାଜ୍ୟରେ ଉପସ୍ଥିତ ହେଲେ । କିଞ୍ଚିତ କାଳ ବିଶ୍ରାମ କଲା

 

ପରେ ଅନୁଙ୍କ ସହିତ ସେମାନଙ୍କର ପରିଚୟ ଓ ଆଳାପ ହେଲା । ଅନୁ ସେମାନଙ୍କର ବଳ ଓ ପରାକ୍ରମ ଦେଖି ମୋହିତ ହେଲେ ଏବଂ ସେମାନଙ୍କୁ ନିଜ କର୍ମଚାରୀ କରିବା ମାନସରେ ଅତି ସମାଦରରେ ଗ୍ରହଣ କଲେ । ଆଗନ୍ତୁକ କ୍ଷତ୍ରିୟମାନେ କିଛିଦିନ ବାସ କଲା ପର ଅନୁଙ୍କର ମନ୍ଦ ଆଚରଣ ଓ ବ୍ୟଭିଚାର ଦେଖି ଅତ୍ୟନ୍ତ ଅସନ୍ତୋଷ ଓ ଘୃଣା ପ୍ରକାଶ କଲେ, ଆଉ ମନେ ମନେ ସେମାନଙ୍କର ବିଦ୍ଵେଷ ଭାବ ମଧ୍ୟ, ଜନ୍ମିଲା । ସେମାନେ ଅନୁଙ୍କର ବିରୋଧିମାନଙ୍କ ସହିତ ଯୋଗ ଦେଲେ । ସମସ୍ତ ବିରୋଧୀମାନେ ପରାମର୍ଶ କରି ଷଡ଼ଯନ୍ତ୍ର ଓ କୌଶଳଦ୍ଵାରା ଅନୁଙ୍କୁ ଆତ୍ମୀୟ ସ୍ଵଜନ ସହିତ ନଷ୍ଟ କଲେ । ଅନୁ ମୃତ୍ୟୁ ପର ମଥୁରାଗତ କ୍ଷତ୍ରିୟମାନଙ୍କ ମଧ୍ୟରୁ ସୁବୋଧଶୂର ସିଂହ ତତ୍କାଳୀନ ଓଡ଼ିଶା ରାଜାଙ୍କ ଅନୁମତି ନେଇ ସୁବୋଧଶୂର ‘ଜିଣା’ ନାମ ଧାରଣ ପୂର୍ବକ ୯୫୦ ଖ୍ରୀଷ୍ଟାବ୍ଦରେ ଅନୁଗୋଳର ରାଜା ହେଲେ । “ଜିଣା” କୁ ଲୋକେ ଜେନା କହୁଥିଲେ ।

 

ଖ୍ରୀଃ ୯୫୦ ଠାରୁ ୧୧୮୦ ପର୍ଯ୍ୟନ୍ତ ଜେନା ଉପାଧିକାରୀ ୯ ଜଣ ରାଜା ରାଜପଣ କଲେ । ଦ୍ଵିତୀୟ ଜେନା ରଣଜିତ୍ ସିଂହଙ୍କ ସମୟରେ କନ୍ଧମାନେ ମେଳି କରି ସମ୍ପୂର୍ଣ୍ଣରୂପେ ପରାଭୂତ ହେଲେ । ୩ୟ ଜେନା ଦୁର୍ଗାଚରଣ ସିଂହଙ୍କ ସମୟରେ ଅନୁଗୋଳର ସୀମା ବିସ୍ତୃତ ହୋଇଥିଲା । ଦୁର୍ଗାଦେବୀ, ଜଗନ୍ନାଥ ଦେବ ଓ ସୋମନାଥ ମହାଦେବଙ୍କର ପୂଜାଦି ବି ଏହ ସମୟରୁ ବିଧିମତ ହେବାକୁ ଆରମ୍ଭ ହୋଇଥିଲା ।

 

ଖ୍ରୀଃ ୧୧୮୦ ଠାରୁ ୧୩୮୦ ପର୍ଯ୍ୟନ୍ତ ମହାପାତ୍ର, ସାମନ୍ତସିଂହାର ଓ ଚମ୍ପୂପତି ଉପାଧିଧାରୀ ୯ ଜଣ ରାଜା ରାଜତ୍ଵ କଲେ । ଏମାନଙ୍କ ଠାରୁ ରାଜାର ଜ୍ୟେଷ୍ଠ ପୁତ୍ରମାନେ ରାଜଗାଦିର ଉତ୍ତରାଧିକାରୀ ହେବାକୁ ଲାଗିଲେ ।

 

କଥିତ ଅଛି ଯେ ଅନୁ,‘‘ଗୋଳ’’ (ଷଡ଼ଯନ୍ତ୍ର ଗୋଳମାଳ) ଦ୍ୱାରା ନଷ୍ଟ ହୋଇଥିବାରୁ ‘ଅନୁଗୋଳ’ ନାମ ହୋଇଅଛି ।

 

ଖ୍ରୀଃ ୧୩୮୦ ଠାରୁ ୧୬୧୧ ପର୍ଯ୍ୟନ୍ତ ଶ୍ରୀଚନ୍ଦନ ଉପାଧିଧାରୀ ୧୦ ଜଣ ରାଜା ରାଜତ୍ଵ କଲେ । ଏମାନଙ୍କ ମଧ୍ୟରୁ ଚତୁର୍ଥ ନାରାୟଣ ଶ୍ରୀଚନ୍ଦନ ଅତି ପ୍ରତାପଶାଳୀ ଓ ବୁଦ୍ଧିମାନ୍ ଥିଲେ । ସେ ତତ୍‍କାଳୀନ ଓଡ଼ିଶାଧିପତି କପିଳେନ୍ଦ୍ର କେଶରୀଙ୍କୁ ଯୁଦ୍ଧରେ ସାହାଯ୍ୟ କରି ତାଙ୍କର ବିଶେଷ ପ୍ରିୟପାତ୍ର ଦେଇଥିଲେ ।

 

ଖ୍ରୀଃ ୧୬୪୧ ଠାରୁ ୧୮୮୬ ପର୍ଯ୍ୟନ୍ତ ଜଗଦ୍ଦେବ ଉପାଧିଧାରୀ ୧୩ ଜଣ ରାଜା ରାଜପଣ କଲେ । ଦ୍ଵିତୀୟ ଜଗଦ୍ଦେବ ଲୋକନାଥ ନରେନ୍ଦ୍ର ସିଂହ ଅପୁତ୍ରିକ ହୋଇ ମୃତ ହେବାରୁ ତାଙ୍କର କନିଷ୍ଠ ଭ୍ରାତା ଶିବ ଦାସ ରାଜା ହେଲେ । ଜଗଦ୍ଦେବ ଶିବ ଦାସଙ୍କର ବଳରାମ ପ୍ରସାଦ ରାଜଧାନୀ ଥିଲା । ଏହାଙ୍କ ସମୟରେ ଢେଙ୍କାନାଳ ରାଜା ଯୁଦ୍ଧ କରି ଅନୁଗୋଳରୁ ଖଡ୍ଗପ୍ରସାଦ, ମଙ୍ଗଳପୁର ଓ କମଳାଙ୍ଗ ହସ୍ତଗତ ପୂର୍ବକ ସ୍ଵରାଜ୍ୟଭୁକ୍ତ କଲେ । ଶିବ ଦାସଙ୍କ ଜ୍ୟେଷ୍ଠପୁତ୍ର ଜଗଦ୍ଦେବ ଭୀମ ଦାସ ବଡ଼ ପ୍ରତାପୀ ଓ ସମରପ୍ରିୟ ଥିଲେ । ସେ ବାମଡ଼ା, ରାଜାଙ୍କ ସହିତ ମିତ୍ରତା ସ୍ଥାପନ କରି ଉତ୍ତରରେ ଆଉଁଳୀ ପର୍ଯ୍ୟନ୍ତ ଅନୁଗୋଳର, ସୀମା ସ୍ଥିର କରିଥିଲେ ।

 

ସପ୍ତମ ଜଗଦ୍ଦେବ ରାଜା ଧନୁର୍ଜୟ ସିଂହ ଢେଙ୍କାନାଳ ସହିତ ଯୁଦ୍ଧ କରି ଜୟୀ ହୋଇଥିଲେ ଓ ନିଜ ଜୟ ଠେଙ୍ଗା (ଜୟ ପତାକା)କୁ ଢେଙ୍କାନାଳ ବଉଳପୁର ଆମ୍ବ ବଗିଚାରେ ଟଙ୍ଗାଇ ଦେଇଥିଲେ । ଏହାକୁ ଲୋକେ “ଧନୁ ସିଂହ ଠେଙ୍ଗା” କହୁଥଲେ । ଧନୁ ସିଂହ ସମସ୍ତ ସାମନ୍ତ ରାଜାମାନଙ୍କ ପରାମର୍ଶରେ ଓଡ଼ିଶା ମହାରାଜାଙ୍କର ବାର୍ଷିକ କର ବନ୍ଦ କରିଥିଲେ । ଏଣୁ ମହାରାଜା କୃଦ୍ଧ ହୋଇ ଧନୁ ସିଂହ ଓ ସମସ୍ତ ସାମନ୍ତ ରାଜାମାନଙ୍କୁ ଘେନି ଯାଇ ପୁରୀଠାରେ କାରାରୁଦ୍ଧ କଲେ । ଘଟନାକ୍ରମେ ଧନୁ ସିଂହ ପୁରୀସ୍ଥ ଶରତପ୍ରଭାଦେବୀ (କଳାପାଟ)ଙ୍କ ପ୍ରଭାବରେ ଏକ ମଲ୍ଲଯୋଦ୍ଧାକୁ ପରାସ୍ତ କଲେ । ମହାରାଜା ସନ୍ତୁଷ୍ଟ ହୋଇ ଧନୁ ସିଂହଙ୍କୁ ବନ୍ଦିରୁ ମୁକ୍ତ କଲେ ଓ ତାଙ୍କ ପ୍ରାର୍ଥନାରେ ସାମନ୍ତ ରାଜାମାନେ ମଧ୍ୟ କାରାମୁକ୍ତ ହେଲେ । ନିଜ ବୀରତାର ପୁରସ୍କାର ଓ ଉପହାରସ୍ୱରୂପ ଧନୁ ସିଂହ ଆହୁରି “ବନ୍ଦିଛୋଡ଼ ଝାଡ଼ଖଣ୍ଡ ବାଦଶାହା” ଉପାଧି ଓ “ଶରତ୍‍ପ୍ରଭା” ଦେବୀଙ୍କୁ ପ୍ରାପ୍ତ ହେଲେ; ଆଉ ବାର୍ଷିକ କର ଦେବା ପରିବର୍ତ୍ତରେ ପୁରୀ ଜଗନ୍ନାଥ ଦେବଙ୍କର ବାର୍ଷିକ ରଥକାଷ୍ଠ ଯୋଗାଇବାର ଧାର୍ଯ୍ୟ, କରାଇ ନେଲେ ।

 

ଧନୁ ଅପୁତ୍ରିକ ଥିବାରୁ କନିଷ୍ଠ ଭ୍ରାତା ନିତ୍ୟାନନ୍ଦ ରାଜା ହେଲେ । ନିତ୍ୟାନ୍ଦଙ୍କ ସମୟରେ ଢେଙ୍କାନାଳ ରାଜା ଯୁଦ୍ଧ କରି ବୂଢ଼ାପଙ୍କ, ଗୋତମରା ଓ ବଳରାମପ୍ରସାଦ ହସ୍ତଗତ କଲେ । ଏଥିଉତ୍ତାରୁ ଅନୁଗୋଳରେ ଦୁର୍ଭିକ୍ଷ ପଡ଼ିବାରୁ ନିତ୍ୟାନନ୍ଦ ଦଶପଲ୍ଲା ରାଜାଙ୍କୁ ‘ଯୋଡ଼ମ’ ଗ୍ରାମ ପ୍ରଦାନ କର ତତ୍‍ପରିବର୍ତ୍ତେ ବାଉଁଶେ ଧାନ ଓ ଢାଲେ ଟଙ୍କା ଆଣି ଥିବାର କଥିତ ଅଛି ।

 

ନିତ୍ୟାନନ୍ଦଙ୍କ ପୁତ୍ର ଜଗଦ୍ଦେବ କୃଷ୍ଣଚନ୍ଦ୍ର ସିଂହ ଅତ୍ୟନ୍ତ ସୁଯୋଗ୍ୟ ଥିଲେ । ସେ ଢେଙ୍କାନାଳ ସହିତ ଯୁଦ୍ଧ କରି ବୁଢ଼ାପଙ୍କ, ଗୋତମରା ଓ ବଳରାମପ୍ରସାଦ ପୁନରୁଦ୍ଧାର କଲେ । ତଦନନ୍ତର ତାଳଚେର ଶ୍ରୀଚନ୍ଦନ, ବାମଡ଼ାର ଦେଓ, ଓ ରେଢ଼ାଖୋଲର ଜେନାଙ୍କ ସହିତ ମିଳିତ ହୋଇ ଜନୈକ ଶ୍ୟାମଘନ ଦଳପତିକୁ ପରାସ୍ତ ଓ ନଷ୍ଟ କରି ତଦଧିକୃତ ରାଜ୍ୟକୁ ଆପଣା ୨ ମଧ୍ୟରେ ବିଭକ୍ତ କରି ନେଲେ । ଏତଦ୍ଵାରା ଉପରବିଷକେରଜାଙ୍ଗ ଅନୁଗୋଳ ଭୁକ୍ତ ହେଲା ।

 

କୃଷ୍ଣଚନ୍ଦ୍ର ଅପୁତ୍ରିକ ଥିବାରୁ ଭ୍ରାତା ମାନସିଂହ ରାଜା ହେଲେ । ସେ ପ୍ରଥମେ ହିନ୍ଦୋଳ ରାଜକନ୍ୟାଙ୍କ ପାଣିଗ୍ରହଣ କରି ହିନ୍ଦୋଳରୁ “କଡ଼ଲା” ଓ ଦ୍ଵିତୀୟ ବାର ବୌଦ ରାଜକନ୍ୟାଙ୍କ ପାଣିଗ୍ରହଣ କରି ବୌଦରୁ “ସାତକୋଶିଆଗଣ୍ଡ” ଯୌତୁକସ୍ଵରୂପ ପ୍ରାପ୍ତ ହୋଇଥିଲେ । ପ୍ରଥମ ରାଣୀ ଗର୍ଭରୁ କ୍ରମେ ଜରାଓର ସିଂହ, ଜୟ ସିଂହ ଓ ଗୋପୀନାଥ ସିଂହ ଏବଂ ଦ୍ଵିତୀୟ ରାଣୀ ଗର୍ଭରୁ କ୍ରମେ ପୃଥ୍ଵୀ ସିଂହ, ବିଶ୍ୱନାଥ ସିଂହ ଓ ଜଗନ୍ନାଥ ସିଂହ ଜାତ ହୋଇଥିଲେ । ଏହି ସମୟରେ ସିନ୍ଧୁ ଗଡ଼ନାୟକ ରାଜାଙ୍କର ପ୍ରଧାନ ପାତ୍ର ଥିଲେ । ସେ ଦ୍ଵିତୀୟ ରାଣୀ ସମ୍ଭୁତ ପୃଥ୍ଵୀ ସିଂହକୁ ରାଜା କରାଇ ଦେବେ ବୋଲି ପ୍ରତିଶ୍ରୁତ ହୋଇ ସ୍ଵ ଭଗ୍ନୀଙ୍କି ପୃଥ୍ଵୀ ସିଂହ ସହିତ ବିବାହ ଦେଇଥିଲେ ।

 

ପରେ ମାନସିଂହଙ୍କ ମୃତ୍ୟୁ ପରେ ଜରାଓର ସିଂହ ଅଳ୍ପକାଳ ରାଜତ୍ଵ କରି ପ୍ରଣତ୍ୟାଗ କଲେ । ତତ୍ପରେ ଜୟ ସିଂହ ରାଜା ଦେଲେ । ଏଣେ ସିନ୍ଧୁ ଗଡ଼ନାୟକ ପୃଥ୍ଵୀ ସିଂହଙ୍କୁ ରାଜା କରିବା ଉଦ୍ଦେଶ୍ୟରେ ଜୟ ସିଂହଙ୍କ ବଂଶ ବିନାଶ କରିବାକୁ ତତ୍ପର ହେଲେ । ଏତାଦୃଶ ମନ୍ଦ କାର୍ଯ୍ୟରେ ପ୍ରବୃତ୍ତ ହେବାପାଇଁ କେତେକ ରାଜ ସରଦାର ଓ ଅପରାପର ଲୋକେ ସିନ୍ଧୁ ଓ ପୃଥ୍ଵୀ ସିଂହଙ୍କୁ ବାରଣ କଲେ ଓ ବାଧା ଦେବାକୁ ଲାଗିଲେ କିନ୍ତୁ ସିନ୍ଧୁ କାହାରି କଥାରେ ଦୃକ୍‌ପାତ ନ କରି ଜୟ ସିଂହଙ୍କୁ କୌଶଳରେ ନଷ୍ଟ କଲେ । ତହୁଁ ପୃଥ୍ଵୀ ସିଂହ ରାଜା ହେଲେ । ସେ ରାଜା ହେଲା ସମୟରେ ଯେଉଁ ମାନେ ବିଦ୍ରୋହୀ ହୋଇଥିଲେ‌ ସେମାନଙ୍କୁ ସେ ଛୋଟ କୁଇ ଠାକୁରାଣୀଙ୍କଠାରେ ବଳୀ ସ୍ଵରୂପ ହତ କଲେ । ଇତି ମଧ୍ୟରେ ଗୋପୀନାଥ ସିଂହଙ୍କ ଜ୍ୟେଷ୍ଠ ପୁତ୍ର ସୋମନାଥ ସିଂହ ନିଜ ମାମୁଙ୍କ ସହିତ ପଳାୟନ କରି ବାମଡ଼ାରେ ଆଶ୍ରୟ ନେଇଥିଲେ । ମାମୁ ସୋମନାଥ ସିଂହଙ୍କୁ ଘେନି ପୃଥ୍ଵୀ ସିଂହଙ୍କ ବିରୁଦ୍ଧରେ କଟକଠାରେ ମକଦ୍ଦମା କଲେ । ସେଥିରେ ପୃଥ୍ଵୀ ସିଂହ ଦୋଷୀ ବୋଲି ପ୍ରମାଣିତ ହେଲେ । ଏହି ସମୟରେ ପୃଥ୍ଵୀ ସିଂହ ଅକାଳରେ ପ୍ରାଣତ୍ୟାଗ କଲେ । କଥିତ ଅଛି ଯେ ଜୟ ସିଂହଙ୍କ ସ୍ତ୍ରୀ ଚିତା ପ୍ରବେଶ କଲା ସମୟରେ ଅଭିଶାପ ଦେଇଥିବାରୁ ପୃଥ୍ଵୀ ସିଂହ ଅକାଳରେ ମୃତ ହେଲେ ।

 

ଏହି ସମୟରେ ଅନୁଗୋଳ ରାଜଗାଦି କିଛି ଦିନ ପାଇଁ ଶୂନ୍ୟ ରହିଲା; ସରକାରରୁ ଗୋପୀନାଥ ମୂଖୁର୍ଯ୍ୟା ନାମକ ଜନୈକ ଆସି ଅନୁଗୋଳର ରାଜକାର୍ଯ୍ୟ, ଚଳାଉଥିଲେ ।

 

ପୃଥ୍ଵୀ ସିଂହଙ୍କ ଭ୍ରାତା ବିଶ୍ଵନାଥ ସିଂହ ରାଜଗାଦୀ ପାଇବାର‌ ଚେଷ୍ଟା କଲେ । ସେ ତଳମୂଳ ନିବାସୀ ମୁକ୍ତାର କୀଣା ଆଚାର୍ଯ୍ୟଙ୍କ ସାହାଯ୍ୟରେ ମକଦ୍ଦମା କଲେ, କିନ୍ତୁ ଅକୃତକାର୍ଯ୍ୟ ହୋଇ ଅଳ୍ପ ସମୟରେ ମୃତ ହେଲେ । ବିଶ୍ଵନାଥ ସିଂହ କୀଣା ଆଚାର୍ଯ୍ୟଙ୍କୁ ମକଦ୍ଦମାର ଖର୍ଚ୍ଚ ଦେଇ ପାରି ନ ଥିଲେ । ତାଙ୍କ ପୁତ୍ରଦ୍ଵୟ ରଘୁନାଥ ସିଂହ ଓ‌ ଲକ୍ଷ୍ମଣ ସିଂହ ମଧ୍ୟ ତାହା ପରିଶୋଧ କରି ନ ପାରି କୀଣାଙ୍କ ଘରେ ବନ୍ଧକ ସ୍ଵରୂପ ରହିଲେ । ଖ୍ରୀଃ ୧୮୧୩ ଶବ୍ଦୀରେ ସୋମନାଥ ସିଂହଙ୍କର ରାଜତ୍ଵ ପାଇବାର ସ୍ଥିର ହେଲା କିନ୍ତୁ ସେ ନାବାଳକ ଥିବାରୁ ସରକାରରୁ ମୋହନ ଲାଲା ନାମକ ଜନୈକ ତିନି ବର୍ଷ ସକାଶ ତାଙ୍କର ମ୍ୟାନେଜର ସ୍ଵରୂପ ନିଯୁକ୍ତ ହେଲେ । ଏହି ସମୟରେ ଜଗନ୍ନାଥ ସିଂହ ନରସିଂହପୁର ରାଜାଙ୍କ ସାହାଯ୍ୟରେ ରାଜ୍ୟ ପାଇବାର ଚେଷ୍ଟା କଲେ; କିଏ ବିଫଳ ହୋଇ ଦୁଃଖରେ ପ୍ରାଣତ୍ୟାଗ କଲେ ।

 

ଖ୍ରୀଃ ୧୮୧୫ ଶତାବ୍ଦୀରେ ସୋମନାଥ ସିଂହ ସ୍ଵହସ୍ତରେ ରାଜ୍ୟଭାର ଗ୍ରହଣ କରି ୧୮୪୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କଲେ । ସୋମନାଥ ସିଂହ ରାଜା ହେଲାମାତ୍ରେ ଅର୍ଥଦାନ ପୂର୍ବକ ଖୁଡ଼ତାତଙ୍କ ପୁତ୍ର ଦ୍ଵୟ ରଘୁନାଥ ସିଂହ ଓ ଲକ୍ଷ୍ମଣ ସିଂହଙ୍କୁ କୀଣା ମୁକ୍ତାରଙ୍କଠାରୁ ମୁକ୍ତ କରାଇଲେ । ଏହି ରଘୁନାଥ ସିଂହଙ୍କ ପୁତ୍ର ବୀରବର ମାଗୁଣି ସିଂହ । ମାଗୁଣି ସିଂହ ସମ୍ପ୍ରତି ଜୀବିତାବସ୍ଥାରେ ବାଳୁଅକଟା ଗ୍ରାମରେ ବାସ କରୁଅଛନ୍ତି ।

 

ସୋମନାଥ ସିଂହ ରାଜା ହୋଇ ସୂଚାରୁରୂପେ ରାଜକାର୍ଯ୍ୟ କରିବାକୁ ଲାଗିଲେ । ଭୁବନ ମଙ୍ଗରାଜ, ନୀଳକଣ୍ଠ ସରଦାର, ନୀଳକଣ୍ଠ ବିଦ୍ୟାଧର, କହ୍ନାଇ ସରଦାର, ଜନାର୍ଦ୍ଦନ ବିଦ୍ୟାଧର, ଚମ୍ପତି ରାୟ ସିଂହ, ଗୌଡ଼ ସିଂହ, ସିନ୍ଧୁ ଗଡ଼ନାୟକ, ରାଜେନ୍ଦ୍ର ସିଂହ, ଜଗନ୍ନାଥ ସରଦାର, ଡମାଇ ଶୁର, ହରି କଅଁରଗୁରୁ, ମୁକୁନ୍ଦ ହରିଚନ୍ଦନ, କମଳଲୋଚନ ବେବର୍ତ୍ତା ପ୍ରଭୃତି ବିଂଶ ଜଣ ସୋମନାଥ ସିଂହଙ୍କର ପ୍ରଧାନ କର୍ମଚାରୀ ଥିଲେ । ସୋମନାଥ ସିଂହଙ୍କର ୧୦୦ ଅଶ୍ୱାରୋହୀ‌ ୫୦ ହସ୍ତୀ ଓ ୫୨୦୦ ଜାୟଗିରଦାର ପାଏକ ଥିଲେ । ଏତଦ୍‍ବ୍ୟତୀତ ଆବଶ୍ୟକ ବେଳେ ୧୫୦୦୦ ପର୍ଯ୍ୟନ୍ତ ପାଏକ ସଂଗ୍ରହ କରି ପାରୁଥିଲେ । ଅନ୍ୟୂନ ୩୦୦ ପର୍ଯ୍ୟନ୍ତ ତାଙ୍କର ପାଏକାଳୀ ଗ୍ରାମ ଥିଲା ।

 

ସୋମନାଥ ସିଂହ ସ୍ଵୟଂ ଜଣେ ସୁଦକ୍ଷ ଅଶ୍ଵାରୋହୀ ଓ ବୀରପୁରୁଷ ଥିଲେ । ଅନ୍ତଃପୁରରେ ତାଙ୍କର ୯ ଜଣ ପ୍ରଧାନ ମହିଷୀ ଓ ୨୦୦ ଜଣ ପର୍ଯ୍ୟନ୍ତ ପରିଚାରିକା ଥିଲେ । ସୋମନାଥ ସିଂହ ମିଷ୍ଟଭାଷୀ ଓ ଶାନ୍ତ ସ୍ଵଭାବ ଥିଲେ । ବିଦ୍ୟାରେ ତାଙ୍କର ଅନୁରାଗ ଥିଲା । ସେ ରାଜକାର୍ଯ୍ୟ ସୁଚାରୁରୂପେ ଚଳାଇ ସରକାରଙ୍କୁ ନିୟମିତ ରୂପେ ପେସ୍‌କସ୍ ଦେଉଥିଲେ । ଏଣୁ ସେ ସରକାରଙ୍କର ବିଶେଷ ସନ୍ତୋଷଭାଜନ ହୋଇଥିଲେ । ଅନ୍ୟାନ୍ୟ ଗଡ଼ଜାତ ରାଜାମାନେ ତାଙ୍କୁ ବିଶେଷ ସମ୍ମାନ ଓ ସମାଦର କରୁଥିଲେ ।

 

ଖ୍ରୀଃ ୧୮୨୦ ଶତାବ୍ଦୀରେ ଆଠମଲ୍ଲିକର ମଳିକମାନେ ହଠାତ୍ ଆଠମଲ୍ଲିକ ରାଜାଙ୍କର ବିଦ୍ରୋହୀ ହୋଇ ଉଠିଲେ । ଆଠମଲ୍ଲିକ ରାଜା ସେମାନଙ୍କୁ ଦମନ କରି ନ ପାରି ସୋମନାଥ ସିଂହଙ୍କର ଆଶ୍ରୟ ନେଲେ । ସୋମନାଥ ସିଂହ ତତ୍କାଳୀନ କମିଶନର ରବର୍ଟ ସାହେବଙ୍କ ନିକଟକୁ ରିପୋର୍ଟ ପ୍ରଦାନପୂର୍ବକ ସସୈନ୍ୟରେ ଆଠମଲ୍ଲିକରେ ଉପସ୍ଥିତ ହେଇ ମଳିକମାନଙ୍କୁ ଦମନ କଲେ-। ଏହି କାର୍ଯ୍ୟର ଉପହାର ସ୍ଵରୂପ ସୋମନାଥ ସିଂହ ଆଠମଲ୍ଲିକରୁ ଚାରିମଳିକ ପ୍ରାପ୍ତ ହେଲେ ।

 

ସୋମନାଥ ସିଂହ କେତେକ ବର୍ଷ ପର୍ଯ୍ୟନ୍ତ ରାଜକାର୍ଯ୍ୟ ଉତ୍ତମ ରୂପେ ଚଳାଉଥିଲେ । ରାଜାରେ କୌଣସି ଗୋଳମାଳ ନ ଥିଲା । କିନ୍ତୁ ଦୈବବଶତଃ ୧୮୩୮ ଖ୍ରୀଷ୍ଟାବ୍ଦରେ ସେ ହଠାତ୍ ବାତ ରୋଗରେ ପୀଡ଼ିତ ହେଲେ । ତଦ୍ଵାରା ତାଙ୍କର ଗୋଟିଏ ଗୋଡ଼ ଅକର୍ମଣ୍ୟ ହୋଇଗଲା । ସେ ପଦବ୍ରଜରେ ଯାତାୟାତ କରିବାକୁ ଅକ୍ଷମ ହେଲେ । କେବଳ ଅଶ୍ଵ ପୃଷ୍ଠରେ ଗମନାଗମନ କରୁଥିଲେ ।

 

ଏହି ସମୟରୁ ରାଜା ସ୍ଵୟଂ ରାଜକାର୍ଯ୍ୟ ଚଳାଇବାକୁ ଅକ୍ଷମ ହେଲେ । କର୍ମଚାରୀମାନଙ୍କ ହସ୍ତରେ ଶାସନଭାର ଏକପ୍ରକାର ନ୍ୟସ୍ତ ହେଲା କର୍ମଚାରୀମାନେ ସ୍ଵେଚ୍ଛାନୁସାରେ କାର୍ଯ୍ୟ କରିବାକୁ ଲାଗିଲେ । ରାଜ୍ୟରେ ଅନ୍ୟାୟ ଓ ଅତ୍ୟାଚାର ହେଲା । ରାଜା ଦେଖି ଶୁଣି ସୁଦ୍ଧା କୌଣସି ପ୍ରତିବିଧାନ କରିପାରିଲେ ନାହିଁ । ସ୍ୱୀୟ କର୍ମଚାରୀମାନଙ୍କ ପରାମର୍ଶରେ ଚଳିବାକୁ ଲଗିଲେ ।

 

୧୮୪୬ ଖ୍ରୀଷ୍ଟାବ୍ଦରେ କେତେକ ଗଡ଼ଜାତ ରାଜାମାନଙ୍କ ପରାମର୍ଶକ୍ରମେ ସିନ୍ଧୁ ଗଡ଼ନାୟକ ପ୍ରଭୃତି ଇଂରାଜଙ୍କ ବିରୁଦ୍ଧରେ ଯୁଦ୍ଧାୟୋଜନ କଲେ । ଆଠଗଡ଼ କେଦ୍ରସ୍ଥଳ ଧାର୍ଯ୍ୟ ହେଲା । କାର୍ତ୍ତିକ ମାସରେ ସିନ୍ଧୁ ପ୍ରଭୃତି ସସୈନ୍ୟରେ ଆଠଗଡ଼ ଯାତ୍ରା କଲେ । କିନ୍ତୁ ସେଠାରେ ଉପସ୍ଥିତ ହୋଇ କୌଣସି ରାଜା ବା ସୈନ୍ୟ, ନ ଦେଖି ଓ ହିନ୍ଦୋଳ ରାଜା ପ୍ରଭୃତି ପ୍ରତିବନ୍ଧକ ହେବାରୁ ସିନ୍ଧୁ ପ୍ରଭତିଙ୍କୁ ମହାନଦୀର ଦକ୍ଷିଣ କୁଳ ଦେଇ ବାହୁଡ଼ି ଆସିବାକୁ ହେଲା । ସେମାନେ ବାହୁଡ଼ି ଆସୁ ୨ ଟିକରପଡ଼ା ନିକଟବର୍ତ୍ତୀ ମହାନଦୀର ଅପର ପାର୍ଶ୍ଵରେ କେତେକ ଯାତ୍ରୀ ପଡ଼ିଥିବାର ଦେଖିଲେ ଏବଂ ସେମାନଙ୍କର ଓଟ ଓ ଘୋଡ଼ା ଦେଖି ସେମାନଙ୍କୁ ସୈନ୍ୟ ବୋଲି ଭ୍ରମ କଲେ । “ଇଂରାଜ ସେମାନଙ୍କର ଅଭିପ୍ରାୟ ବୁଝି ସେମାନଙ୍କ ବିରୁଦ୍ଧରେ ସୈନ୍ୟ ପଠାଇଛନ୍ତି” ଏହି ଭ୍ରମରେ ପଡ଼ି ରାତିରେ ଯାତ୍ରୀମାନଙ୍କୁ ଗୋପନରେ ବଦ୍ଧ କଲେ । ପ୍ରଭାତ ସମୟରେ ସେମାନଙ୍କୁ ଯାତ୍ରୀ ଜାଣି ନିରୁପାୟ ହେଲେ ଓ ସେମାନଙ୍କର ସମସ୍ତ ଦ୍ରବ୍ୟ ଲୁଣ୍ଠନ କରି ଆଣି ରାଜଛାମୁରେ ଦେଲେ ଓ ପୂର୍ବରାତିର ସମସ୍ତ ବୃତ୍ତାନ୍ତ ଜଣାଇଲେ । ରାଜା ଶୁଣି ସାତିଶୟ ଦୁଃଖିତ ଓ ଚିନ୍ତିତ ହୋଇ ରହିଲେ ।

 

ଭାଗ୍ୟବଶତଃ ଦୁଇ ଜଣ ଯାତ୍ରୀ ପଳାଇ ଯାଇଥିଲେ । ସେମାନେ ଦଶପଲ୍ଲା ରାଜାଙ୍କ ସାହାଯ୍ୟରେ ତତ୍କାଳୀନ କମିଶନର ମିଲର ସାହେବଙ୍କୁ ସମସ୍ତ ବିଷୟ ଜଣାଇଲେ । ଅନୁସନ୍ଧାନ ଦ୍ଵାରା ସେମନାଥ ସିଂହ ନିର୍ଦ୍ଦୋଷୀ ଓ ସିନ୍ଧୁପ୍ରଭୃତି ୧୮ ଜଣ ଦୋଷୀ ଥିବାର ଜଣାଗଲା । ମିଲର ସାହେବ ଦୁଇ ଜଣ ଚପରାଶି ପଠାଇ ରାଜାଙ୍କ ସମୀପକୁ ଲେଖିଲେ ଯେ ରାଜା ସ୍ଵୟଂ ନିର୍ଦ୍ଦୋଷୀ ଓ ସିନ୍ଧୁ ପ୍ରଭୃତି ଦୋଷୀ, ସୁତରାଂ ସେ ସେମାନଙ୍କୁ କଟକ ପଠାଇ ଦେବେ । ସାହେବଙ୍କ ପତ୍ର କର୍ମଚାରୀମାନଙ୍କ ହସ୍ତଗତ ହେବାରୁ ସେମାନେ ପତ୍ରର ଅର୍ଥ ରାଜାଙ୍କୁ ଭିନ୍ନ ପ୍ରକାରେ ବୁଝାଇ ଦେଲେ ଓ ଚପରାଶିମାନଙ୍କୁ ଅପମାନ କରି ବିଦାୟ ଦେଲେ । ଚପରାଶିମାନେ ବାହୁଡ଼ି ଯାଇ ସମସ୍ତ ବିଷୟ ସାହେବଙ୍କୁ ଜଣାଇଲେ । ମିଲର ସାହେବ ସଦୟ ହୋଇ ପୁଣି ରାଜ ସମୀପକୁ ପତ୍ର ପଠାଇଲେ । ଏପତ୍ର ମଧ୍ୟ କର୍ମଚାରୀମାନଙ୍କ ହସ୍ତଗତ ହେଲା । ରାଜପୁତ ଲେକନାଥ ସିଂହଙ୍କୁ ରାଜା କରାଇବେ ଓ ଇଂରାଜ ସହିତ ଯୁଦ୍ଧ କରିବେ କର୍ମଚାରୀମାନେ ଏହି ମନ୍ତ୍ରଣା କରି ପତ୍ରବାହକମାନଙ୍କୁ ରାଜାଙ୍କ ସହିତ ସକ୍ଷାତ ନ କରାଇ ପୂର୍ବବତ୍ ଅପମାନ କରି ବିଦାୟ ଦେଲେ ।

 

ମହାମତି ମିଲର ଅତ୍ୟନ୍ତ ଦୟାଳୁ ଥିଲେ । ସେ ପୁଣି କରିମବକ୍ସ ଦାରୋଗାଙ୍କୁ ରାଜ ସମୀପକୁ ପ୍ରେରଣ କଲେ । କରିମବକ୍ସଙ୍କର ରାଜାଙ୍କ ସହିତ ସକ୍ଷାତ ହେଲ । ରାଜା ସମସ୍ତ ବିଷୟ ଅବଗତ ହୋଇ ଅପରାଧିମାନଙ୍କୁ କଟକ ପଠାଇବାର ଆଦେଶ ଦେଲେ କିନ୍ତୁ ଅପରାଧୀ କର୍ମଚାରୀମାନେ ମେଳି ହୋଇ ରାଜାଙ୍କୁ ଭୟ ପ୍ରଦର୍ଶନପୂର୍ବକ ପ୍ରାଣରେ ନଷ୍ଟ କରିବାକୁ ମନ୍ତ୍ରଣା କଲେ ଏବଂ ରାଜାଙ୍କ ସହିତ ଦାରୋଗାଙ୍କର ପୁନଃ ସାକ୍ଷାତ ବନ୍ଦ କରାଇ ଦେଇ ଦାରୋଗାଙ୍କୁ ଜଣାଇଲେ ଯେ “ରାଜା ଇଂରାଜଙ୍କୁ ସହିତ ଯୁଦ୍ଧ କରିବେ । ତୁମ୍ଭ ସହିତ ସାକ୍ଷାତ କରିବାକୁ ଅନିଛୁକ ଏବଂ ତୁମ୍ଭର ଏ ସ୍ଥାନରେ ରହିବ ବୃଥା” ଦାରୋଗା ଏପ୍ରକାର କଥା ଶ୍ରବଣ କର ହିନ୍ଦୋଳ ପ୍ରସ୍ଥାନ କଲେ ଓ ସେଠାରୁ ସମସ୍ତ ବିଷୟ କମିଶନରଙ୍କୁ ଜଣାଇଲେ ।

 

ଏହି ସମୟରେ ରାଜପୁତ ଲୋକନାଥ ସିଂହ କେତେକ କର୍ମଚାରୀ ଲୋକମାନଙ୍କ କୁମନ୍ତ୍ରଣାରେ ପଡ଼ି ସ୍ଵୟଂ ରାଜା ଦେବା ଉଦ୍ଦେଶ୍ୟରେ କଟକ ପ୍ରସ୍ଥାନ କଲେ । ସେଠାରେ କମିଶନରଙ୍କ ନିକଟରେ ସେ ପିତାଙ୍କର ଅଯଥାଛିଦ୍ର ଓ ଦୋଷ ପ୍ରକାଶ କରି ପିତାଙ୍କୁ କଟକ ଧୃତ କରି ନେଇ ଯିବାର ପ୍ରସ୍ତାବ କଲେ ଏବଂ ଅନୁଗୋଳକୁ ଲୋକ ପ୍ରେରଣ କରି ରାଜାଙ୍କର ସାହେବଙ୍କ ସହିତ ସାକ୍ଷାତ ବନ୍ଦ କରାଇ ଦେଲେ ।

 

ଲୋକନାଥ ସିଂହଙ୍କ ପରାମର୍ଶାନୁସାରେ କମିଶନର ସାହେବ ସମ୍ବଲପୁର ଦେଇ ଟିକରପଡ଼ା ବାଟେ ଏକ ଦଳ ସୈନ୍ୟ ଓ ଲୋକନାଥ ସିଂହଙ୍କ ସହିତ ମହୀଧରପୁର ବାଟେ ଅନ୍ୟ ଏକ ଦଳ ରାଜାଙ୍କ ବିରୁଦ୍ଧରେ ପ୍ରେରଣ କଲେ । ଏହି ସମୟରେ ରାଜା କୃଷ୍ଣଚନ୍ଦ୍ର ଗଡ଼ରେ ଥିଲେ । ହଠାତ୍ ତାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା ଶ୍ରବଣ କରି ଅତି ସାବଧାନରେ ରହିବାକୁ ଲାଗିଲେ । ଗଡ଼ର ଚତୁର୍ଦ୍ଦିଗ ପର୍ବତ ବେଷ୍ଟିତ ଏବଂ ଏକମାତ୍ର ସଂକୀର୍ଣ୍ଣ ଓ ଗୁପ୍ତ ପଥଦ୍ଵାରା କଷ୍ଟରେ ପ୍ରବିଷ୍ଟ ହେବାକୁ ହୁଏ । ଏ ସ୍ଥାନରେ ହଠାତ୍ ପ୍ରବେଶ କରିବା ଶତ୍ରୁ ପକ୍ଷରେ ସହଜ ନୁହେ । ନିରପରାଧୀ ସୋମନାଥ ସିଂହ ସ୍ଵୀୟ ପୁତ୍ର ଓ କେତେକ ଲୋକଙ୍କର ବିଶ୍ଵାସଘାତକତାଦ୍ଵାରା ବିନା ଯୁଦ୍ଧରେ ଓ ଅକ୍ଳେଶରେ ଇଂରାଜ ସୈନ୍ୟ କର୍ତ୍ତୃକ ଧୃତ ହେଲେ (ଖ୍ରୀଃ ୧୮୪୬ ମାଘ କୃଷ୍ଣପକ୍ଷ ୭ମୀ )। ଯାତ୍ରୀ ବଧକାରୀ ଅପରାଧୀ ସିନ୍ଧୁପ୍ରଭୃତି ଧୃତ ହୋଇ କଟକରେ କାରାରୁଦ୍ଧ ହେଲେ । ଏମାନେ କାରାବାସରୁ ପଳାୟନ କଲା ସମୟରେ ଇଂରାଜୀ ସୈନ୍ୟ କର୍ତ୍ତୃକ ହତ ହେଲେ । ସୋମନାଥ ସିଂହ ବୃତ୍ତିଭୋଗୀ ହୋଇ ରାଞ୍ଚି ଜିଲ୍ଲା ହଜାରିବାଗକୁ ପ୍ରେରିତ ହେଲେ । ୧୮୫୨ ଖ୍ରୀଷ୍ଟାବ୍ଦରେ ସେହିଠାରେ ତାଙ୍କର ମୃତ୍ୟୁ ହେଲା । ଲୋକନାଥ ସିଂ ରାଜତ୍ଵ ପାଇବା ବିଷୟରେ ବିଚାର ଓ ଅନୁସନ୍ଧାନ ଲାଗିଲା । ଅନୁଗୋଳର ପ୍ରଧାନ ୨ ବ୍ୟକ୍ତିମାନେ ଲୋକନାଥ ସିଂହ ରାଜା ହେବା ପକ୍ଷେ ବିରୁଦ୍ଧ ମତ ଦେଇ ସମ୍ପୂର୍ଣ୍ଣ ଇଂରାଜ ଶାସନରେ ରହିବାକୁ ଇଚ୍ଛା ପ୍ରକାଶ କଲେ । ଲୋକନାଥ ସିଂହ ସ୍ଵୀୟ ପିତାଙ୍କର ଅବିଶ୍ଵାସୀ ହୋଇ ଅନ୍ୟାୟରେ ପିତାଙ୍କୁ ଧରାଇ ଦେଇଥିବା ବିଷୟ ପ୍ରକାଶିତ ହେଲା । ଉପରୋକ୍ତ ଅନ୍ୟାୟ କାରଣରୁ ଲୋକନାଥ ସିଂହ ରାଜତ୍ଵରୁ ବଞ୍ଚିତ ହେଲେ । ସେ ବୃତ୍ତି ଭୋଗୀ ହୋଇ ପୁରୀ ନଗରରେ‌ ବାସ କରିବାକୁ ଲାଗିଲେ । ସେହିଠାରେ ତାଙ୍କର ମୃତ୍ୟୁ ହେଲା । ମୃତ୍ୟୁ ସମୟରେ ସେ ବୀରବର ମାଗୁଣି ସିଂହଙ୍କୁ ପୋଷ୍ୟପୁତ୍ର କରି ଯାଇଥିଲେ । ସମ୍ପ୍ରତି ମାଗୁଣି ସିଂହ ବ୍ୟତୀତ ଅନୁଗୋଳ ରାଜବଂଶୀୟ ଅନ୍ୟ କେହି ଜୀବିତ ନାହାନ୍ତି ।

 

ଗୋଲ୍‌ଡସବରୀ କମିଶନରଙ୍କ ସମୟରେ ଅନୁଗୋଳ ଖାସ ହୋଇ ସମ୍ପୂର୍ଣ୍ଣ ଇଂରାଜ ଶାସନାଧୀନରେ ରହିଲା (୧୮୪୬) । ୧୮୪୬ ଠାରୁ ୧୮୯୧ ପର୍ଯ୍ୟନ୍ତ ଅନୁଗୋଳର ଶାସନକାର୍ଯ୍ୟ, ଗଡ଼ଜାତ ସୁପରିଟେଣ୍ଡେଣ୍ଟଙ୍କ ତତ୍ତ୍ଵାବଧାନରେ ଜଣେ ୨ ତହସିଲଦାରଙ୍କ ଦ୍ଵାରା ଚଳୁ ଥିଲା । ପ୍ରଥମ ତହସିଲଦାର ବାବୁ ଶ୍ୟାମବଲ୍ଲଭ ସରକାରଙ୍କ ସମୟରେ ଅନୁଗୋଳର ପାଞ୍ଚଶାଲା ବନ୍ଦୋବସ୍ତ ହେଇଥିଲା । ଏହି ସମୟରେ ପୁରୁଣାଗଡ଼ରେ ଓ ଅନୁଗୋଳର ଭିନ୍ନ ୨ ସ୍ଥାନରେ ୫, ୬ ଟି ମଧ୍ୟମ ଶ୍ରେଣୀ ସ୍କୁଲ ସ୍ଥାପିତ ହୋଇଥିଲା । ତୃତୀୟ ତହସିଲଦାର ବାବୁ ବ୍ରହ୍ମାନନ୍ଦ ଦାସଙ୍କ ସମରେ ଜରାଶିଙ୍ଗା ଓ ଶଙ୍ଖପୁର ହାଟଦ୍ଵୟ ସ୍ଥାପିତ ହୋଇଥିଲା । ବ୍ରହ୍ମାନନ୍ଦ ଦାସ ପୋକତୁଙ୍ଗା ନିକଟବର୍ତ୍ତୀ ବଉଳୀ ବନ୍ଧ ନିର୍ମାଣ କରାଇ ପାର୍ଶ୍ଵବର୍ତ୍ତୀ ବ୍ରହ୍ମପୁର, ନନ୍ଦପୁର, ମାଧପୁର ପ୍ରଭୃତି ଗ୍ରାମମାନ ସ୍ଥାପନ କରାଇଥିଲେ । ବଉଳୀ ବନ୍ଧଦ୍ଵାରା ପାର୍ଶ୍ଵସ୍ଥ ଲୋକମାନଙ୍କର ବହୁଳ ଉପକାର ସାଧିତ ହେଉଅଛି । ବ୍ରହ୍ମାନନ୍ଦ ଦାସଙ୍କ ସମୟରେ ସମସ୍ତ ଅନୁଗୋଳ ବନ୍ଦୋବସ୍ତ ହୋଇ ୩୨୦୦୦ ଟଙ୍କା ରାଜସ୍ଵ ଧାର୍ଯ୍ୟ ହୋଇଥିଲା । ବ୍ରହ୍ମାନନ୍ଦଙ୍କ ଉତ୍ତାରୁ ବିଚ୍ଛନ୍ଦ ବାବୁ ଆସିବା ପର୍ଯ୍ୟନ୍ତ ଚାରି ଜଣ ତହସିଲଦାର ଆସିଥିଲେ । ଏମାନଙ୍କ ସମୟର କୌଣସି ଉଲ୍ଲେଖନୀୟ ବିଷୟ ନାହିଁ ।

 

୧୮୭୫ ଖ୍ରୀଷ୍ଟାବ୍ଦରେ ବାବୁ ବିଚ୍ଛଦ ପଟ୍ଟନାୟକ ତହସିଲଦାର ହୋଇ ଆସିଲେ । ଏହାଙ୍କ ସମୟରେ ଅନୁଗୋଳର ମନ୍ଦ ଅବସ୍ଥା ଅନେକ ପରିମାଣରେ ପରିବର୍ତ୍ତିତ ହୋଇଥିଲା । ମଫସଲସ୍ଥ ସମସ୍ତ ଛାତ୍ରବୃତ୍ତି ସ୍କୁଲମାନଙ୍କ ଦ୍ଵାରା କୌଣସି ଉପକାର ହେଉ ନ ଥିବାରୁ ସେ ସମସ୍ତ ଉଠି ଯାଇ ତଦ୍‌ପରିବର୍ତ୍ତେ ଚାରି ଗୋଟି ଉଚ୍ଚ ପ୍ରାଇମେରୀ ସ୍କୁଲ ସ୍ଥାପିତ ହେଲା । ନିମ୍ନ ପ୍ରାଇମେରୀ ସ୍କୁଲମାନ ମଧ୍ୟ ପ୍ରାୟ ପ୍ରତି ଗ୍ରାମରେ ସ୍ଥାପିତ ହେବାରୁ ପ୍ରାଇମେରୀ ଶିକ୍ଷାର ବିସ୍ତାର ହେବାକୁ ଲାଗିଲା । ବିଚ୍ଛନ୍ଦ ବାବୁ ଏହି ସମୟରେ ଚାନ୍ଦା ସଂଗ୍ରହପୂର୍ବକ ସ୍ମିଥ ନାମକ ବୃତ୍ତି ସ୍ଥାପନ କଲେ । ଅନୁଗୋଳର ଟ୍ରେଣୀଂ ସ୍କୁଲର ଭିତ୍ତି ମଧ୍ୟ, ଏହାଙ୍କ ସମୟରେ ସ୍ଥାପିତ ହୋଇଥିଲା (୧୮୮୧) । ବିଚ୍ଛନ୍ଦ ବାବୁ କେତେକ ନୂତନ ସଡ଼କ ପ୍ରସ୍ତୁତ କରାଇଥିଲେ । ଦେଉଳ ବନ୍ଧର ସଂସ୍କାର କାର୍ଯ୍ୟ ମଧ୍ୟ ତାହାଙ୍କ ସମୟରେ ଆରମ୍ଭ ହୋଇଥିଲା । ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସେ ଉଦ୍‌ଯୋଗୀ ହୋଇଥିଲେ ।

 

ବିଚ୍ଛନ୍ଦ ବାବୁ ପୀଡ଼ିତ ହୋଇ ଅବକାଶ ଗ୍ରହଣ କରିବାରୁ ବାବୁ ନାରାୟଣଚନ୍ଦ୍ର ନାୟକ ଏକ ତହସିଲଦାର ନିଯୁକ୍ତ ହେଲେ (୧୮୮୨) । କିନ୍ତୁ ବିଚ୍ଛନ୍ଦ ବାବୁଙ୍କର ମୃତ୍ୟୁ ହେବାରୁ ଏ ତହସିଲଦାର କର୍ମରେ ସ୍ଥାୟୀ ଦେଲେ । ଏହାଙ୍କ ସମୟରେ ସମସ୍ତ କାର୍ଯ୍ୟ, ଉତ୍ତମ ରୂପେ ଚଳୁଥିଲା-। ଦୈବଯୋଗରୁ ୧୮୮୯ ଖ୍ରୀଷ୍ଟାବ୍ଦରେ ଅନୁଗୋଳରେ ଘୋର ଦୂର୍ଭିକ୍ଷ ଓ ମାରୀଭୟ ହେଲା । ତଦ୍ୱାରା ‘ଅନେକ ପ୍ରାଣି ନଷ୍ଟ ହେଲେ । ଏ ସମରେ ଏ ମହାଶୟ ଦକ୍ଷତା ସହିତ ସଧାରଣଙ୍କର ଉପକାରଜନକ କାର୍ଯ୍ୟମାନ କରି ନ ଥିଲେ ଅଧିକାଂଶ ମହାପ୍ରାଣୀ ମୃତ୍ୟୁର କରାଳବଳରେ ନିପତିତ ହୋଇଥାଆନ୍ତେ, କାରଣ ଗଭର୍ଣ୍ଣମେଣ୍ଟ ପ୍ରଥମେ ଏ ବିଷୟରେ ସନ୍ଦେହ କରିଥିଲେ, ମଧ୍ୟ ତାହା ତଦନ୍ତ କରିବା ନିମନ୍ତେ ଏହି ସମୟରେ ଛୋଟଲାଟଙ୍କ ପ୍ରଧାନ ସେକ୍ରେଟରୀ ସର୍‌ଜନ୍ ଏଡ଼ଗାର ଅନୁଗୋଳରୁ ଆସିଥିଲେ; ସେ ଏ ସ୍ଥାନର ଅବସ୍ଥା ସନ୍ଦର୍ଶନ କରି ଏହାର ସୁଶାସନ ନିମିତ୍ତ ବିହିତ ବନ୍ଦୋବସ୍ତ କରିଥିଲେ । ତଦନୁସାରେ ୧୮୯୧ ଖ୍ରୀଷ୍ଟାବ୍ଦରେ ଅନୁଗୋଳ ଓ କନ୍ଦମାଳ ମିଶି ଅନୁଗୋଳ “ଡିଷ୍ଟ୍ରିକ୍ଟ” ବା ଜିଲାରେ ପରିଣତ ହେଲା । ଅନୁଗୋଳ ଓ କନ୍ଦମାଳ ପ୍ରତ୍ୟେକ ଅନୁଗୋଳର ସବ୍-ଡିଭିଜନ ହେଲା ଏବଂ ଏଠାରେ ଡିଷ୍ଟ୍ରିକ୍ଟ ଇଞ୍ଜିନିଅର ଓ ଆଶିଷ୍ଟେଣ୍ଟ ସାର୍ଜନ ପଦର ସୃଷ୍ଟି ହେଲା । ଏହି ସମୟରେ ନନ୍ଦକିଶୋର ଦାସ ବାହାଦୁର ଷ୍ଟାଚ୍ୟୁଟାରି ସିଭିଲିଆନ ହୋଇ ଅନୁଗୋଳର ମାଜିଷ୍ଟ୍ରେଟ ବା ଡିଷ୍ଟ୍ରିକ୍ଟ ଅଫିସର ହୋଇ ଆସିଲେ (ତା୧ରିଖ ଡିସେମ୍ବର ୧୮୯୧) * ଢେଙ୍କାନାଳ, ତାଳଚେର, ପାଲଲହଡ଼ା, ବଡ଼ାମ୍ବା । ନରସିଂହପୁର ନାବାଲକି ବା ୱାର୍ଡ଼ସ୍ ଷ୍ଟେଟ୍‌ମ୍ୟାନ ଅନୁଗୋଳ ଡିଷ୍ଟ୍ରିକ୍ଟ ଅଫିସରଙ୍କ ତତ୍ତ୍ଵାବଧାନରେ ରହିଲା । ପୁରୁଣାଗଡ଼ ଅସ୍ୱାସ୍ଥ୍ୟକର ହେତୁ ସେ ସ୍ଥାନରୁ ହେଉ-କ୍ଵାଟର ସ୍ଥାନାନ୍ତରିତ ହେବା ସକାଶେ ନନ୍ଦକିଶୋର ବାବୁ ପ୍ରସ୍ତାବ କରିଥିଲେ । ତଦନୁସାରେ ପୁରୁଣାଗଡ଼ ହେଡ଼୍ କ୍ଵାଟର ହୁଲୁରୁଶିଙ୍ଗାକୁ ସ୍ଥାନାନ୍ତରିତ ହୋଇଅଛି । ରାୟ ବାହାଦୁର ଏଠାରେ ପ୍ରାୟ ଚାରିମାସ ରହିଲା ପର କେନ୍ଦୁଝରିର ପୋଲିଟକେଲ ଏଜେଣ୍ଟ ହୋଇ ପ୍ରେରିତ ହେଲେ । ବାବୁ ମହୋଦୟଙ୍କ ଅନୁପସ୍ଥିତ କାଳରେ ମୟୁରଭଞ୍ଜର ମ୍ୟାନେଜ୍‌ର ଏଚ୍, ପି ୱାଲି ସାହେବ ଅନୁଗୋଳର ମାଜିଷ୍ଟ୍ରେଟ ହେଲେ । ସେ ୧୮୯୨ ନବେମ୍ବର ତା ୧୩ ରିଖରେ ଅନୁଗୋଳରୁ ଆସିଲେ ଓ ପ୍ରାୟ ୯ ମାସ ରହିଲା ପର ବିଗତ ଜୁଲାଇ ୨୪ ତାରିଖରେ କେନ୍ଦୁଝରକୁ ପ୍ରେରିତ ହେଲେ । ରାୟ ନନ୍ଦକିଶୋର ଦାସ ବାହାଦୁର ପୁନରାୟ ଅନୁଗୋଳକୁ ଆସିଲେ (ସେପ୍ଟେମ୍ବର ତା ୧ ରିଖ ୧୮୯୩) ଅନନ୍ତର ଆମବାତ ରୋଗ ହେତୁ ସନ ୧୮୯୪ ଅପ୍ରେଲ ତା ୬ ରିଖରେ ସ୍ଵର୍ଗାରୋହଣ କଲେ । ତହୁଁ ଏ ସ୍ଥାନର ସୁଯୋଗ୍ୟ ଡିପୋଟି-ମାଜିଷ୍ଟ୍ରେଟ୍ ବାବୁ ନାରାୟଣଚନ୍ଦ୍ର ନାୟକ ଡିପୋଟି କମିଶନର କାର୍ଯ୍ୟରେ ଥିଲେ, ପୁନରପି କେନ୍ଦୁଝରିରୁ ଏଚ୍ , ପି ୱାଲି ସାହେବ ସନ ୧୮୯୪ ସେପ୍ଟେମ୍ବର ମାସ ତା୧ ରିଖରେ ଆସି ଡିପୋଟି କମିଶନରୀ ପଦ ଗ୍ରହଣପୂର୍ବକ ଅନୁଗୋଳ ପୁରୁଣାଗଡ଼ରୁ ହୁଲୁରୁଶିଙ୍ଗାକୁ ଅଫିସଆଦି ଉଠାଇବାର ଆରମ୍ଭ କଲେ ।

 

*

ଇତିମଧ୍ୟରେ ଅନୁଗୋଳର ବନ୍ଦୋବସ୍ତ କାର୍ଯ୍ୟ ନାରାୟଣବାବୁଙ୍କଦ୍ଵାରା ସଂପୂର୍ଣ୍ଣ ହେଲା । ଏହାଙ୍କ ସମୟରେ ହିନ୍ଦୋଳ ଓ ଛେଣ୍ଡିପଦା ସଡ଼କ ଆଦି; ଦେଉଳ ଓ ନୂଆବନ୍ଧ ଆଦିର କାର୍ଯ୍ୟ ଶେଷ, ହାଟ ବାଗାଜ ଓ ନର୍ମାଲ ସ୍କୁଲ ସ୍ଥାପିତ, ସ୍କୁଲ ବୋର୍ଡ଼ିଙ୍ଗ ହାଉସ ପ୍ରସ୍ତୁତ ଏବଂ ପାଶ୍‍ ସେଟେଲମେଣ୍ଟ ଆଦି ଦେଶର ଅନେକ ହିତଜନକ କାର୍ଯ୍ୟମାନ ହୋଇଅଛି । ଏହି ହେତୁରୁ ଦେଶବାସୀମାନେ ସର୍ଭେ ମାପ ଶିକ୍ଷା କଲେ । ୧୮୯୩ ଠାରୁ ୧୫ବର୍ଷ ପର୍ଯ୍ୟନ୍ତ ଏହି ବନ୍ଦୋବସ୍ତ ଧାର୍ଯ୍ୟ ହେଲା । ରାଜସ୍ୱ ମୋଟ ଟ ୧୦୦୦୦୦ ଙ୍କା ମଧ୍ୟରୁ ପ୍ରଥମ ପାଞ୍ଚବର୍ଷ ଟ୫୦୦୦୦ ଙ୍କା ଓ ୨ୟ ବର୍ଷ ଟ ୭୫୦୦୦ଙ୍କା ଏବଂ ୩ୟ ୫ବର୍ଷ ସମସ୍ତ ଟଙ୍କା ଅଦାୟ ନିଶ୍ଚିତ ହୋଇଅଛି ।

•••

 

ପରିଶିଷ୍ଟ

 

ଦଳପତି କନ୍ଧ ସରଦାରଗଣ (୭୦୦-୯୫୦) ପର୍ଯ୍ୟନ୍ତ ।

 

୧ ଇନ୍ଦ୍ର ଦଳପତି, ୨ ରାମଜିରା ଦଳପତି, ୩ ରାଣ୍ଟିରା ଦଳପତି, ୪ ପିନୁଡ଼ା ବାଘୁରା ଦଳପତି, ୫ ଦିନୁକୁଡ଼ୁ ଦଲପତି, ୬ ଅନୁବଳବନ୍ତରା ଦଳପତି ।

 

ଜେନାଉପାଧିଧାରୀ କଦମ୍ବ ବଂଶୀୟ ରାଜଗଣ । (୯୫୦-୧୧୮୦) ପର୍ଯ୍ୟନ୍ତ ।

 

୧ ସୁବୋଧଶୂର ଜେନା, ୨ରଣଜିତ ଜେନା, ୩ ଦୁର୍ଗା ଜେନା, ୪ କନକ ଜେନା, ୫ ରାମଚନ୍ଦ୍ର ଜେନା, ୬ ନିତ୍ୟାନନ୍ଦ ଜେନା, ୭ କଣ୍ଠ ଜେନା, ୮ ବୃନ୍ଦାବନ ଜେନା, ୯ ଶିବରାମ ଜେନା-

 

ମହାପାତ୍ର ଓ ସାମନ୍ତ ସିଂହାର ପ୍ରଭୃତି ଉପାଧିଧାରୀ ରାଜଗଣ । (୧୧୮୦-୧୩୮୦) ପର୍ଯ୍ୟନ୍ତ ।

 

୧ ସଦାଶିବ ମହାପାତ୍ର, ୨ ରାଘବ ମହାପାତ୍ର, ୩ ଲୋକନାଥ ସାମନ୍ତ ସିଂହାର, ୪ ଦୀନବନ୍ଧୁ ସାମନ୍ତସିଂହାର, ୫ ଜଗବନ୍ଧୁ ସାମନ୍ତ ସିଂହାର, ୬ ଦୟାନିଧି ଚମୂପତି, ୭ ଦୈତାରି ଚମୂପତି, ୮ ଲାଭ ଚମୂପତି, ୯ ସାଉଣ୍ଟି ମହାପାତ୍ର (ଲାଭଙ୍କ ପୋଷ୍ୟପୁତ୍ର) ।

 

ଶ୍ରୀଚନ୍ଦନ ଉପାଧିଧାରୀ ରାଜଗଣ (୧୩୮୦-୧୬୧୧) ପର୍ଯ୍ୟନ୍ତ ।

 

୧ ମୁକୁନ୍ଦ ଶ୍ରୀଚନ୍ଦନ, ୨ ଗୋପୀନାଥ ଶ୍ରୀଚନ୍ଦନ, ୩ ନୃସିଂହ ଶ୍ରୀଚନ୍ଦନ, ୪ ନାରାୟଣ ଶ୍ରୀଚନ୍ଦନ, ୫ ପୀତାମ୍ବର ଶ୍ରୀଚନ୍ଦନ, ୬ ଶ୍ରୀପତି ଶ୍ରୀଚନ୍ଦନ, ୭ ବନମାଳୀ ଶ୍ରୀଚନ୍ଦନ, ୮ ପଲାଉ (ପଦ୍ମନାଭ) ଶ୍ରୀଚନ୍ଦନ, ୯ ବଳରାମ ଶ୍ରୀଚନ୍ଦନ, ୧୦ ଶ୍ୟାମସୁନ୍ଦର ଶ୍ରୀଚନ୍ଦନ ।

 

ଜଗଦ୍ଦେବ ରାଜଗଣ(୧୬୧୧-୧୮୪୬ ପର୍ଯ୍ୟନ୍ତ) ।

 

୧ ଚକ୍ରଧର ନରେନ୍ଦ୍ର ଜଗଦ୍ଦେବ ୨ ଲୋକନାଥ ନରେନ୍ଦ୍ର ଜଗଦ୍ଦେବ ୩ ଶିବଦାସ ଜଗଦ୍ଦେବ ୪ ଭୀମଦାସ ଜଗଦ୍ଦେବ ୫ ଖୁଦେଇ ନରେନ୍ଦ୍ର ଜଗଦ୍ଦେବ ୬ ଧନଞ୍ଜୟ ସିଂହ ଜଗଦ୍ଦେବ ୭ ନିତ୍ୟାନନ୍ଦସିଂହ ଜଗଦ୍ଦେବ ୮ କୃଷ୍ଣଚନ୍ଦ୍ର ସିଂହ ଜଗଦ୍ଦେବ ୯ ମାନସିଂହ ଜଗଦ୍ଦେବ ୧୦ ଜରାସିଂହ ଜଗଦ୍ଦେବ ୧୧ ଜୟସିଂହ ଜଗଦ୍ଦେବ ୧୨ ପୃଥୀସିଂହ ଜଗଦ୍ଦେବ ୧୩ ସୋମନାଥସିଂହ ଜଗଦ୍ଦେବ ।

 

ତହସିଲଦାରଗଣ (୧୮୪୬-୧୮୯୧) ।

 

୧ ଶ୍ୟାମବଲ୍ଲର ସରକାର (୧୮୪୬–୪୮), ୨ ସଦାନନ୍ଦ ସରକାର (୧୮୪୮–୪୮), ୩ ବ୍ରହ୍ମାନନ୍ଦ ଦାସ (୧୮୪୮-୫୩), ୪ ସେଖ ମହମ୍ମଦ ଫାଜଲ (୧୮୫୩-୬୪), ୫ ଅନନ୍ତବଲ୍ଲଭ ନନ୍ଦି (୧୮୬୪-୬୯), ୬ ସଦାନନ୍ଦ ସରକାର (୧୮୬୯-୭୪), ୭ ବନମାଳୀ ସିଂହ (୧୮୭୪-୭୫), ୮ ବିଚ୍ଛନ୍ଦ ପଟ୍ଟନାୟକ (୧୮୭୫-୭୯), ୯ ହାରାଧନ ଘୋଷ (୧୯୭୯-୮୦), ୧୦ ବିଚ୍ଛନ୍ଦ ପଟ୍ଟନାୟକ (୧୮୮୦-୮୨), ୧୧ ନାରାୟଣଚନ୍ଦ୍ର ନାୟକ (୧୮୮୨-୮୫), ୧୨ ଗୌରଚନ୍ଦ୍ର ସେନ (୧୮୮୫-୮୫), ୧୩ ନାରାୟଣ ଚନ୍ଦ୍ର ନାୟକ (୧୮୮୫-୯୨), ୧୪ ଦର୍ପନାରାୟଣ ଦାସ (୧୮୯୨-୯୨), ୧୫ ନାରାୟଣଚନ୍ଦ୍ର ନାୟକ (୧୮୯୨-୦) ।

 

ଡିଷ୍ଟ୍ରିକ୍ଟ ଅଫିସରଗଣ

 

୧ ରାୟ ନନ୍ଦକିଶୋର ଦାସ ବାହାଦୂର (୧-୧୨-୯୧ରୁ) ୨ ମି; ଏଚ;ପି;ୱାଲି (୧୩-୧୧-୯୨ରୁ) ୩ ରାୟ ନନ୍ଦକିଶୋର ଦାସ ବାହାଦୁର (୯-୧-୯୩ରୁ) ୪ବାବୁ ନାରାୟଣଚନ୍ଦ୍ର ନାୟକ (୬-୪-୯୪ରୁ) ୫ମି;ଏଚ;ପି;ୱାଲି (୧-୯-୯୪) ।

•••

 

କନ୍ଧମାଳର ଭୂଗୋଳ ବିବରଣ

 

ସୀମା–କନ୍ଧମାଳର ଉତ୍ତର, ପୂର୍ବ ଓ ପଶ୍ଚିମରେ ବୌଦ, ଏବଂ ଦକ୍ଷିଣରେ ଘୁମସର ଓ ଚିନା ଖିମିଡ଼ି । ଲୋକସଂଖ୍ୟା ୬୬୩୧୫ ଜଣ; ପରିମାଣଫଳ ୮୮୦ ବର୍ଗମାଇଲ । କନ୍ଧମାଳ ୫୦ ମୁଠା [ପ୍ରଗଣା]‌ ରେ ବିଭକ୍ତ । ସାନ ବଡ଼, ଏକ ସହସ୍ର ଗ୍ରାମ ଅଛି । ନିମ୍ନରେ ପ୍ରଗଣାମାନଙ୍କର ନାମ ଆଉ ତହିଁରେ ଥିବା ପ୍ରଧାନ ୨ ଗ୍ରାମର ନାମ ଦିଆଗଲା ।

 

 

ପ୍ରଗଣା

ପ୍ରଧାନ ଗ୍ରାମ

୧.

କେଶରଙ୍ଗିଆ

ବିଶିପଡ଼ା, ମଳିକପଡ଼ା ।

୨.

ଭେଟୁମେଣ୍ଡି

ଗଞ୍ଜଗୋଡ଼ା, ପଖନା ।

୩.

ରାଶିମେଣ୍ଡି-

ରାଶିମେଣ୍ଡି ।

୪.

ସାଗରମେଣ୍ଡି

ଗୁମାଗଡ଼, ଜାଙ୍ଗଲି, ବାଡ଼ାମୁଗା ।

୫.

ବାଙ୍କମେଣ୍ଡି

ଖେତାପାଜୁ ।

୬.

ବିଦୁମେଣ୍ଡି

ବଡ଼ଭୋଇ, ଗୁଣ୍ଡୁଭିନାଡ଼ି ।

୭.

ବଲସକୁମ୍ପା

ବଲସକୁମ୍ପା ।

୮.

ଗ୍ରାଣ୍ଡିମେଣ୍ଡି

ବାରିକୁମ୍ପା, ଦୁଟିପଡ଼ା, ଗୁଦୁଡ଼ି, ବେଡ଼ାଙ୍ଗପାଜୁ

୯.

ଗୁମାଲମେଣ୍ଡି

ସୁଡ଼ୁଲି, ଭୁକ୍ତାକନାଲି, ଟିଟିରାପଙ୍ଗା ।

୧୦.

ସାନ୍ଦୁମଣ୍ଡି

ରାଇଖୋଲ ।

୧୧.

ଦୁଟୀମେଣ୍ଡି

ବନ୍ଧଗଡ଼, ମଳିକପଡ଼ା ।

୧୨.

ଟୁଣିଆମୁଣ୍ଡି

ନୂଆଗାଁ, ଝଗଡ଼ପଡ଼ା, ଝାମି, ଲେପାକୁମ୍ପା ।

୧୩.

ଭେଟିମେଣ୍ଡି

ଲମ୍ବାବାଡ଼ୀ, ଲଙ୍ଗଲେଜୁ, ତାଞ୍ଜୁ ।

୧୪.

ସିଡ଼ୁଗାରି

ପାବେରି, ଡିମିରଖୋଲ ।

୧୫.

ଚଉଲାପାରି

ଖଜୁରିପଡ଼ା, ପେନାମାଲି ।

୧୬.

କାଳିଆପାରି

ଭାଲିଆପଡ଼ା ।

୧୭.

ରକଡ଼ମସ୍କା

ସୁଡୃକୁମ୍ପା ।

୧୮.

ପୁନ୍ଦୁଳିକିଆ

ଡାଡ଼ମେରି, ବିଲାବାଡ଼ୀ ।

୧୯.

ବଗଲିକିଆ

ରାଣିପଥର ।

୨୦.

ତେରେଡ଼ିକିଆ

ଫୁଲବାଣୀ, ରୁଜାଙ୍ଗ ।

୨୧.

କସ୍କିରାବୁ

ଡାକପାଲି, ଦାମି ।

୨୨.

ଡମସିଂହ

ନୂଆଗଡ଼ ।

୨୩.

କଳାଦାଗ

ଯାମୁଝରୀ, ବେଟନିପଡ଼ା ।

୨୪.

କଟରଙ୍ଗିଆ

କଟରଙ୍ଗିଆ, କିଲ୍ଲପାଙ୍ଗ ।

୨୫.

ଜେଦେଲିଗାଁ

ଗୋଚ୍ଛାପଡ଼ା, ବନ୍ଦୁଲି, ଦାମାରେଜୁ ।

୨୬.

ପେଟିଙ୍ଗିଆ

କରେଙ୍ଗିଲି, ପେଟିଙ୍ଗିଆ ।

୨୭.

କେରେଲିଙ୍ଗିଆ

କେଲୁପଡ଼ା, ପଟାକ୍ଷେତା ।

୨୮.

ବାକଲମେଣ୍ଡି

ବାଲନ୍ଦାପଡ଼ା, ବପଙ୍ଗା ।

୨୯.

ଉପସିଙ୍ଗିଆ

ଭେଟାବାଲି, କଶପାଜୁ, ତାଳପଙ୍ଗା ।

୩୦.

ସେହେଲିଙ୍ଗିଆ

ପୁଡ଼େଲି, ବାରହଲା ।

୩୧.

ଡାଙ୍ଗିସିଙ୍ଗିଆ

ବାନ୍ଦାଦଣି, ସମ୍ବରବନ୍ଦ ।

୩୨.

ଆଡ଼ଗିଡ଼ିକିଆ

ଯାଯିସି ପଙ୍ଗା, ସାଡ଼ିଙ୍ଗିଆ, ମାଲା, ପାଙ୍ଗା ।

୩୩.

ଲତପଙ୍ଗିଆ

ଲତପଙ୍ଗିଆ ।

୩୪.

ଦଶିକିଆ

ନୂଆପଦର, ଡିମିରିଗୋଡ଼ା ।

୩୫.

ରବିଙ୍ଗିଆ

ରବିଙ୍ଗିଆ, ଶ୍ରାମ୍ବୁ ।

୩୬.

ସୁତଙ୍ଗିଆ

ଗାଞ୍ଜିପାଟା, ସିମ୍ବୁଳିପଡ଼ା ।

୩୭.

ଗାନିଙ୍ଗିଆ

ସୁଣ୍ଡିଙ୍ଗା, ତେନ୍ତୁଳିପଡ଼ା

୩୮.

ବେହେଙ୍ଗିଆ

ବେହେଙ୍ଗିଆ, କୁଇଲାରଗାଁ ।

୩୯.

ଦୁବସିଙ୍ଗିଆ

କେଳାପଡ଼ା ।

୪୦.

ଦଣ୍ଡିକିଆ

ବୁକଦେଇ

୪୧.

ଭୁସାଙ୍ଗିଆ

ବାଉଡ଼ୀପଡ଼ା, ପାଦେରିପଡ଼ା ।

୪୨.

କଇଞ୍ଜାବାରି

ପତୁଖୋଳ, ଲମ୍ବାପଦର ।

୪୩.

ସୁରାମେଣ୍ଡି

କନ୍ଧଗଡ଼, କରଣ୍ଡାଗଡ଼, ପୋଡ଼ାପଡ଼ା

୪୪.

ଭୁରୁଷାମେଣ୍ଡି

ଖସିପଡ଼ା, ତଣ୍ଡିରିଙ୍ଗା ।

୪୫.

ପବିଙ୍ଗିଆ

ତରଙ୍ଗ, ପବିଙ୍ଗିଆ, ମାସିରପଡ଼ା ।

୪୬.

ଗୋପୀଙ୍ଗିଆ

ଗୋପୀଙ୍ଗିଆ, କବେରିଙ୍ଗା |

୪୭.

ସାଇତିଙ୍ଗିଆ

ନୂଆପଡ଼ା, ସାଇତିଙ୍ଗିଆ, ସୁନାଖାତୁ ।

୪୮.

ଫିରିଙ୍ଗିଆ

ଫିରିଙ୍ଗିଆ, ଯାତାଯୋରି, ମାଝିପଡ଼ା ।

୪୯.

ଯୁରାପଙ୍ଗିଆ

ଡିଣ୍ଡିରାଙ୍ଗା, ଖଜୁରିପଡ଼ା, ତଳପଡ଼ ।

୫୦.

ବବଡ଼ଙ୍ଗିଆ

ବବଡ଼ଙ୍ଗିଆ

 

ପ୍ରଧାନ ସ୍ଥାନ

 

ବିଶିପଡ଼ା–ବେଶରଙ୍ଗିଆମୁଠାରେ ଅବସ୍ଥିତ । ଏଠାରେ କଚେରି, ଥାନା, ଜେଲଖାନା, ଡାକ୍ତରଖାନା, ପୋଷ୍ଟାଫିସ, ଓ ସ୍କୁଲ ଅଛି । ଆଉ ପ୍ରତି ବୁଧବାର ଦିନ ହାଟ ବସେ ।

 

ବଳସକୁମ୍ପା ଓ ବନ୍ଧଗଡ଼–ଏଠାରେ ବଡ଼ରାଉଳ ଠାକୁରାଣୀଙ୍କର ମନ୍ଦିର ଅଛି ମଧ୍ୟ ପ୍ରତିବର୍ଷ ମହା ସମାରୋହରେ ପୂଜା ହୁଏ । ପୂର୍ବେ ବଳସକୁମ୍ପାରେ ବୌଦ ରାଜାଙ୍କର ଗଡ଼ ଥିଲା ।

 

ଖଜୁରୀପଡ଼ା, କୁମ୍ଭାରଖୋଲ, ସାଡ଼ିଙ୍ଗିଆ ଓ ନୂଆପଡ଼ା ଏ ଚାରି ଗ୍ରାମରେ ଚାରିଗୋଟି ଫାଣ୍ଡି ଅଛି ।

 

ରାଣୀପଥର, ବେତାଙ୍ଗପାଜୁ, ସୁଡ଼ୃକୂମ୍ପା, ନୂଆପଦର ଏହି ସ୍ଥାନମାନଙ୍କରେ ସରକାରୀ ବଙ୍ଗଳା ଅଛି ।

 

ଖଜୁରୀପଡ଼ା, ନୂଆଗାଁ, ଭାଲିଆପଡ଼ା, ଦୁଟିପଡ଼ା, ବାରିକୁମ୍ପା, ଟିଟିରାପଙ୍ଗା, ନୂଆପଦର, କେଳାପଡ଼ା, ବନ୍ଧଗଡ଼ ଓ ତରଙ୍ଗ ଏହି ସ୍ଥାନମାନଙ୍କରେ ସରକାରୀ ବିଦ୍ୟାଳୟ ଅଛି ।

 

ବଡ଼ଗ୍ରାମ, ଦୁଟିମୁଣ୍ଡି, ନୂଆଗାଁ, ଟିଟିରାପଙ୍ଗା, ଦାମ, କଟରଙ୍ଗିଆ,ବାଲହାପଡ଼ା, ଗୋଛାପଡ଼ା, ପୋଡ଼ାପଡ଼ା, ପଦଙ୍ଗିଆ, ସାଇତିଙ୍ଗିଆ, ଓ ଡିଣ୍ଡିରା ଗାଁ ପ୍ରଧାନ କନ୍ଧଗ୍ରାମ ଅଟେ ।

 

ଡାଳଖାଇଜାତ–ଲେପାକୁମ୍ପା ଓ ଭାଲିଆପଡ଼ାରେ ସମାରୋହରେ ଏକ ଯାତ୍ରା ହୁଏ ।

 

ଘାଟି

 

କୁମ୍ଭାରଖୋଲ ବା ପେଞ୍ଜାଇ, ପାଣିଶାଳୀ, ବବଡ଼ଙ୍ଗିଆ, ବୃନ୍ଦା ଓ ଗୋଛାସାହି ଘାଟି ପ୍ରଧାନ ।

 

ସଡ଼କ

 

ବିଶିପଡ଼ା, ଖଜୁରୀପଡ଼ା, ହରଭଙ୍ଗା, ସଡ଼ିଙ୍ଗିଆ, ଗଞ୍ଜାମ ଏବଂ ଘୁମୁସର ସଡ଼କ ପ୍ରଧାନ-

 

ନଦୀ

 

ସାଲୁଙ୍କୀ–ଘୁମସର ଇଲାକାରୁ ବାହାରି କନ୍ଧମାଳ ଓ ବୌଦ ଦେଇ ସରଦାପୁରଠାରେ ମହାନଦୀରେ ମିଶିଅଛି । ଏହା କୂଳରେ ବିଶିପଡ଼ା ଅଛି ।

 

ପିଲାସାଲୁଙ୍କୀ–ଟୁଣିଆମାଣ୍ଡି ମୁଠା ଇଲାକାରୁ ବାହାରି ଡମସିଂହ ମୁଠାସ୍ଥ କନ୍ଦରା ଗ୍ରାମରେ ସାଲୁଙ୍କୀ ସଙ୍ଗେ ମିଶିଅଛି ।

 

ବାଘନଦୀ–ସୁରାମେଣ୍ଡି ମୁଠାସ୍ଥ ବନ୍ଧଗଡ଼ ଗ୍ରାମରୁ ବାହାରି ବୌଦ ଓ ସୁନପୁର ସୀମା ମଧ୍ୟ ଦେଇଯାଇ ବୌଦ ଇଲାକା ଡୁମୂରୁପାଲି ଠାରେ ମହାନଦୀରେ ମିଶିଅଛି ।

 

ସୁନାମୁଦୀ–ଭୁରୁପାମେଣ୍ଡି ମୁଠାସ୍ଥ ତଣ୍ଡିରି ଗ୍ରାମରୁ ବହାରି ବସପାଦେରିଠାରେ ବାଘନଦୀରେ ମିଶିଅଛି ।

 

ସରୁ (ପର୍ବତ)

 

ବୁମୁନି–କନ୍ଧମାଳ ଓ ଖିମିଡ଼ି ସୀମା ମଧ୍ୟସ୍ଥ ଅଡ଼ୀଗିଡ଼ିକିଆ ମୁଠାରେ ଉଚ୍ଚ ୩୧୪୪ ଫୁଟ ।

ମଣ୍ଡେ–ଆଡ଼ୀଗିଡ଼ିକିଆ ମୁଠାରେ ସିରିଙ୍ଗିର ଦକ୍ଷିଣ ପଶ୍ଚିମ ଉଚ୍ଚ ୩୦୮୦ ଫୁଟ ।

ଫିରିଆ–କେଳାକେଳାପଡ଼ାର ଉତ୍ତରପଶ୍ଚିମରେ ଉଚ୍ଚ ୩୦୮୩ ଫୁଟ ।

ଡାଙ୍ଗା–ଦୁବସିଙ୍ଗ ମୁଠାରେ ଉଚ୍ଚ ୨୭୯୫ ଫୁଟ ।

ବଡ଼ଦେଉଳୀ–ଫୁଲବାଣି ଗ୍ରାମ ନିକଟରେ ଉଚ୍ଚ ୨୮୨୬ ଫୁଟ ।

ବୋଡ଼ା–ଅବିରପଡ଼ାର ଉତ୍ତରପୂର୍ବ ଲେଣ୍ଡାଖୋଲ ନିକଟ ଉଚ୍ଚ ୨୭୫୪ ଫୁଟ ।

ସଣ୍ଡି–ଗାନିଙ୍ଗିଆ ମୁଠାରେ ଉଚ୍ଚ ୨୪୦୩ ଫୁଟ ।

ଡମସିଙ୍ଗା–ବିଶିପଡ଼ାର ପଶ୍ଚିମ ଉଚ୍ଚ ୨୮୨୬ ଫୁଟ ।

 

ଶସ୍ୟ

 

ଧାନ, ମାଣ୍ଡିଆ, କୁଇରି (ସୁଆଁ ଜାତୀୟ), ସୁଆଁ, କାଙ୍ଗୁ, କଲିକା (ବରଗୁଡ଼ୀ ଜାତୀୟ), କଙ୍ଗା, ଝୁଡ଼ଙ୍ଗ, ମୁଗ, ବିରି, କୋଳଥ, ଜଡ଼ା, ରାଶି, ସୋରିଷ, ପାଳୁଅ, ହଳଦି ଓ ଶର୍କରା ଆଦି ।

ଖଣିଜ ପଦାର୍ଥ ।

 

ଅନେକ ସ୍ଥାନରେ ପଥରରୁ ଲୌହ ବାହାରଇ ଆଉ କ୍ଵଚିତ ଅଭ୍ର ମିଳିବାର ଶୁଣାଯାଏ ।

 

ଜନ୍ତୁ

 

ବାଘ, ଭାଲୁ, ସମ୍ବର, ଗୟଳ, ହରିଣ, ଘୋଡ଼ିଙ୍ଗ, ବାନର, ବରାହ, ବଳିଆକୁକ୍କୁର, କୁକୁରା, ଖୁରାଣ୍ଟି, ଝିଙ୍କ ଓ ଠେକୁଆ ଏବଂ ଗୋ, ମହିଷ, ମେଷ, ଛାଗ, କୁକ୍କୁର ଓ ଘୁଷୁରି ଆଦି ।

 

ପକ୍ଷୀ

 

ମୟୁର, ଶୁକ, ଶାରୀ, କୋଚିଲାଖାଇ, ହରଡ଼, ବଣି, ପାରା, ଟିଆ, ଭାଲିଆଖାଇ, କୁମ୍ଭାଟୁଆ, ଶାଗୁଣା, ଚିଲ, ବାଜ ଓ କପୋତ ଆଦି ।

 

ଆମଦାନୀ

 

ନାନା ପ୍ରକାର ବସ୍ତ୍ର ଓ ବାସନ, ସ୍ଵର୍ଣ୍ଣ, ରୌପ୍ୟ, କେରାସିନ, ଚାଉଳ, ପାନ, ଗୁଆ ଓ ମଶଲା ଆଦି ।

 

ରପ୍ତାନି

 

ହଳଦି ଓ ପାଲୁଅ ପ୍ରଧାନ ।

 

କନ୍ଧମାଳର ଐତିହାସିକ ବିବରଣ

 

ଆଦିମ ନିବାସୀ–ଓଡ଼ିଶା ଗଡ଼ଜାତ ବୌଦ କିଲ୍ଲାର ଦକ୍ଷିଣ ପଶ୍ଚିମାଂଶ ପାର୍ବତୀୟ ବିଭାଗର ନାମ କନ୍ଧମାଳ (କନ୍ଧ ମାହାଲ) । କନ୍ଧ ନାମକ ଅସଭ୍ୟ ଜାତି କନ୍ଧମାଳର ଆଦିମ ନିବାସୀ; ଏମାନେ କୋହ୍ଲ ଜାତିର ଅନ୍ତର୍ଭୁକ୍ତ । ଏମାନଙ୍କ ପୂର୍ବେ କୁର୍ମମାନେ ବାସ କରୁଥିବାର କଥିତ ହୁଏ ମଧ୍ୟ କନ୍ଧମାନେ ଅଦ୍ୟାବଧି କୁର୍ମମାନଙ୍କୁ ସମ୍ମାନ କରନ୍ତି ଆଉ ଭୂଦେବତାକୁ ପୂଜା କଲାବେଳେ ଅଗ୍ରେ କୁର୍ମମାନଙ୍କ ନାମରେ ପୂଜା କରନ୍ତି । କନ୍ଧମାନେ କେଉଁ ସମୟରେ ଆସି କନ୍ଧମାଳରେ ବସତି ସ୍ଥାପନ କଲେ ତାହା ଜାଣିବାର କୌଣସି ଉପାୟ ନାହିଁ । ଏମାନେ ବାସ କଲାପର ସୁଧ, ଶୁଣ୍ଢି, ତୁମାଳ, ଗୌଡ଼, ମଗଧଗୌଡ଼ ଓ ତେଲିଆଦି ଆସି କନ୍ଧମାନଙ୍କ ଆଶ୍ରୟରେ ବାସ କଲେ । ଏମାନଙ୍କ ମଧ୍ୟରେ ସୁଧ ଜାତି ବଳିଷ୍ଠ ଓ ବୁଦ୍ଧିମାନ୍ ଥିଲେ ।

 

କନ୍ଧମାଳର ଶାସନ ପ୍ରଣାଳୀ–କନ୍ଧମାଳ ବୌଦ ରାଜ୍ୟର ଏକାଂଶ ହେଲେ ହେଁ ବୌଦ ରାଜାଙ୍କର ସମ୍ପୂର୍ଣ୍ଣ କ୍ଷମତାଧୀନରେ ନ ଥଲା । ବୌଦ ରାଜା ଚେଷ୍ଟା କରି ସୁଦ୍ଧା କନ୍ଧମାନଙ୍କୁ ଆୟତ୍ତ କରି ପାରି ନ ଥିଲେ । କନ୍ଧମାନେ ସମୟ ୨ ରେ ରାଜାଙ୍କ ବିରୁଦ୍ଧରେ ଅତ୍ୟାଚାର କରି ରାଜଦୁର୍ଗ ଲୁଟ କରିବାର ଶୁଣାଅଛି । କନ୍ଧମାନେ ଯଥେଚ୍ଛାଚାରୀ ଥିଲେହେଁ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଶାସନପ୍ରଣାଳୀ ପ୍ରଚଳିତ ଥିଲା । ପ୍ରତି କନ୍ଧଗ୍ରାମରେ ଗ୍ରାମବାସୀମାନଙ୍କୁ ସମ୍ମତି କ୍ରମେ ଜଣେ ବଳିଷ୍ଠ ଓ ବୁଦ୍ଧିମାନ୍‍ କନ୍ଧ ଗ୍ରାମରେ ମଳିକ (ପ୍ରଧାନ)‌ ହୋଇ ଗ୍ରାମର କୌଣସି ଗୋଳମାଳ ,ହେଲେ ସେମାନଙ୍କୁ ଘେନି ତାହା ନିଷ୍ପତ୍ତି କରି ପାରୁଥିଲେ । ଆଉ ସେମାନଙ୍କ ମଧ୍ୟରେ କେହି ଚୋରୀ କଲେ ଜାତିଚ୍ୟୁତ ହେଉଥିଲେ, ଏଣୁ କନ୍ଧମାନଙ୍କ ମଧ୍ୟରେ ଚୋରୀ ପ୍ରଥା ନ ଥିଲା । ଏକ ୨ ଗ୍ରାମର ମଳିକ ୧୦-୧୨ ଖଣ୍ଡ ଗ୍ରାମର (ଏକ ମୁଠାର) ସରଦାର ହେଉଥିଲେ । ସେ ମୁଠାବାର ଓ ମଳିକମାନେ କନ୍ଧମାନଙ୍କଠାରୁ ଏକ ୨ ତାମ୍ବି (ପ୍ରାୟ ବାଲେଶ୍ଵରୀ ୧୪ ସେର) ଚାଉଳ ବାର୍ଷିକ ପ୍ରାପ୍ତ ହୁଅନ୍ତି । କନ୍ଧମାନେ ନିଃସନ୍ତାନ ହୋଇ ମଲେ ତାଙ୍କ ସମ୍ପତ୍ତିରୁ କେତେ ଅଂଶ ଗ୍ରହଣ କରନ୍ତି । ମୁଠା ସରଦାରମାନେ ମୁଠାର ତାବତୀୟ ଗୋଳମାଳ ଓ ଅତ୍ୟାଚାର ନିଷ୍ପତ୍ତି କରୁଥିଲେ । ଏହି ରୀତିରେ କନ୍ଧମାନଙ୍କର ଶାସନ କାର୍ଯ୍ୟ ଚଳୁଥିଲା । ସୁଧମାନେ ଆସି ଏଠାରେ ବାସ କଲାପର କନ୍ଧମାନେ ସେମାନଙ୍କୁ ବଳିଷ୍ଠ ଓ କ୍ଷମତାଶାଳୀ ଦେଖି କେତେକ ମୁଠାରେ ସେମାନଙ୍କୁ ସରଦାର ଓ ବିଶୋଈ ନିଯୁକ୍ତ କରି ସେମାନଙ୍କ ପରାମର୍ଶାନୁସାରେ ଚଳୁଥିଲେ । ଆଜିଯାଏ ମଧ୍ୟ, ବିଶୋଇମାନଙ୍କର ଆଧିପତ୍ୟ ଚଳୁଅଛି । ଏପରି ଶାସନ ପ୍ରଣାଳୀ ପ୍ରଚଳିତ ଥିଲେ ମଧ୍ୟ ସମସ୍ତ କନ୍ଧମାନଙ୍କ ମଧ୍ୟରେ ଏକତା ନ ଥାଇ ଏକ ୨ ମୁଠାର କନ୍ଧମାନଙ୍କ ମଧ୍ୟରେ ଏକତା ଥିଲା । ଏଣୁ ସମୟ ସମୟରେ ଭିନ୍ନ ୨ ମୁଠାମାନଙ୍କରେ ବିଦ୍ରୋହ ହେଉଥିଲା । ଯେଉଁମାନେ ବଳିଷ୍ଠ ହେଉଥିଲେ‌ ସେମାନେ ଅପରର ସର୍ବନାଶ କରୁଥିଲେ ମାତ୍ର ତାହାର କୌଣସି ପ୍ରତିକାର ଦେଉ ନ ଥିଲା । ଭୂଦେବତା ତୃପ୍ତ ହେଲେ ଭୂମିର ଉର୍ବରାଶକ୍ତି ବୃଦ୍ଧି ହେବ–ଏହ ବିଶ୍ୱାସରେ କନ୍ଧମାନେ ଭୂଦେବତା ପୂଜା କରିବା ସମୟରେ ମେରିଆ (ନରବଳୀ) ପ୍ରଦାନ କରୁଥିଲେ । ଏ ନୃଶଂସ ପ୍ରଥା କନ୍ଧମାନଙ୍କ ମଧ୍ୟରେ ପ୍ରଧାନ ଥିଲା ମାତ୍ର ଏହାର କୌଣସି ପ୍ରତିକାର ବିଧାନ ହେଉ ନ ଥିଲା । ଇଂରାଜ ଗବର୍ଣ୍ଣମେଣ୍ଟ ଏପରି ନୃଶଂସ ନରହତ୍ୟା ବୌଦ ରାଜ୍ୟରେ ଘଟୁଥିବାର ଅବଗତ ହୋଇ ବୌଦ ରାଜାଙ୍କୁ ଲେଖିଲେ ଯେ ଯଦି ବୌଦ ରାଜା କନ୍ଧମାନଙ୍କୁ ଶାସନ କରି ନ ପାରନ୍ତି ଓ ସେମାନଙ୍କର ନରବଳୀ ପ୍ରଥା ଉଠି ନ ଯାଏ ତେବେ ଇଂରାଜ ଗବର୍ଣ୍ଣମେଣ୍ଟା ବୌଦ ରାଜ୍ୟ ଖାସ କରିବାକୁ ବାଧ୍ୟ ହେବେ–ବୌଦ ରାଜା ଏହି ଆଦେଶ ପ୍ରାପ୍ତ ହୋଇ ବହୁ ଚେଷ୍ଟା କରି ସୁଦ୍ଧା କନ୍ଧମାନଙ୍କୁ ଆୟତ୍ତ କରି ପାରିଲେ ନାହିଁ । ଅବଶେଷରେ ଇଂରାଜ ସାହାଯ୍ୟ ଲୋଡ଼ିବାରୁ ଇଂରାଜ ବାହାଦୁର ୧୮୩୫ ଖ୍ରୀଷ୍ଟାବ୍ଦରେ କନ୍ଧମାନଙ୍କୁ ଆସି ଅନେକ ମେରିଆ ନିମନ୍ତେ ଥିବା ବ୍ୟକ୍ତିଗଣଙ୍କୁ ଧୃତ କରି ନେଲେ ଏବଂ କନ୍ଧମାଳକୁ ରାଜାଙ୍କ ଅଧୀନରେ ରଖି ଓ ଆଂଶିକ ତାହାର ତତ୍ତ୍ଵାବଧାନ କରି କନ୍ଧମାନେ ରାଜାଙ୍କ ବଶତା ସ୍ଵୀକାର କରିବେ ବୋଲି ଉପଦେଶ ଦେଲେ ।

 

ଏହି ସମୟରେ ଘୂମସରର ପ୍ରଧାନ ବିଦ୍ରୋହୀ ଚକ୍ର ବିଶୋଇ କନ୍ଧମାଳକୁ ଆସି ସ୍ଵୟଂ ରାଜା ହେବା ଉଦ୍ଦେଶ୍ୟରେ ସେମାନଙ୍କ ସହିତ ମିଳିତ ହୋଇ ବୌଦ ରାଜାଙ୍କ ବଶତା ସ୍ଵୀକାର ନ କରିବା ଏବଂ ଇଂରାଜ ବାହାଦୁରଙ୍କ ବିରୁଦ୍ଧରେ ନାନା ପ୍ରକାଇ ଗୋଳମାଳ କରିବା ସକାଶ କନ୍ଧମାନଙ୍କୁ ପ୍ରବର୍ତ୍ତାଇଲେ । ତହୁଁ ୧୮୪୫ ଖ୍ରୀଷ୍ଟାବ୍ଦରେ ସଇକାରଙ୍କ ପକ୍ଷରୁ ବାବୁ ଦୀନବନ୍ଧୁ ପଟ୍ଟନାୟକ ତହସିଲଦାର ନିଯୁକ୍ତ ହୋଇ ବିଶେଷ ବୁଦ୍ଧି କୌଶଳଦ୍ଵାରା କନ୍ଧମାଳରେ ଶାନ୍ତି ସ୍ଥାପନ ପୂର୍ବକ ଗବର୍ଣ୍ଣମେଣ୍ଟରୁ ସମାଦର ସହିତ‌ ରାୟ ବାହାହୁର ଉପାଧି ପାଇଲେ । ସେହି ଦିନଠାରୁ କନ୍ଧମାଳ ଇଂରାଜଙ୍କ ସମ୍ପୂର୍ଣ୍ଣ ଶାସନାଧୀନରେ ରହିଲା । କେବଳ ରାଜାଙ୍କ ସହିତ ଗବର୍ଣ୍ଣମେଣ୍ଟଙ୍କର ଏହି ଚୁକ୍ତି ରହିଲା ଯେ ସେ କନ୍ଧମାଳ ନେବାକୁ ଇଚ୍ଛା କଲେ ଇଂରାଜ ଗବର୍ଣ୍ଣମେଣ୍ଟଙ୍କର, ସେ ଦିବସ ପର୍ଯ୍ୟନ୍ତ କନ୍ଧମାଳ ରକ୍ଷଣାବେକ୍ଷଣ ଓ ଶାସନ‌ସମ୍ବନ୍ଧରେ ଯେତେ ଖରଚ ହୋଇଥିବ ତାହା ସମସ୍ତ ଦେଇ ପାରିଲେ ପୁନଃ ପ୍ରାପ୍ତ ହୋଇ ପାରିବେ ।

 

ଇଂରାଜ ଶାସନ

 

୧୮୮୫ ଖ୍ରୀଷ୍ଟାବ୍ଦରେ କନ୍ଧମାଳ ଖାସ ହୋଇ ବାବୁ ଦୀନବନ୍ଧୁ ପଟ୍ଟନାୟକ ପ୍ରଥମ ତହସିଲଦାର ନିଯୁକ୍ତ ହେଲେ । ଉକ୍ତ ମହାଶୟ ବୁଦ୍ଧିବଳରେ ଶାନ୍ତିସ୍ଥାପନ ପୂର୍ବକ ସୁଖ୍ୟାତି ଲାଭ କରିଥିଲେ । ଏ ହେତୁ, ଗବର୍ଣ୍ଣମେଣ୍ଟରୁ ପ୍ରଶଂସା ସହିତ ରାୟ ବାହାଦୁର ପଦ ପ୍ରାପ୍ତ ହୋଇଥିଲେ । କନ୍ଧମାନେ ଏଥିପୂର୍ବରୁ କିଛି କର ପ୍ରଦାନ କରୁ ନ ଥିଲେ । ଦୀନବନ୍ଧୁ ବାବୁ କନ୍ଧମାଳରେ ସୁପଥ ନିର୍ମାଣ କରିବା ଅଭିପ୍ରାୟରେ କନ୍ଧମାନଙ୍କଠାରୁ ପ୍ରତି ହଳରେ ତିନିଅଣା ହିସାବରେ ହଳକର ଧାର୍ଯ୍ୟ କଲେ ଓ ଅବକାରୀ ଦୋକାନମାନ ସ୍ଥାପନ କରାଇଲେ । ହଳକରରୁ ଯାହା ଆଦାୟ ହେଲା ସେଥିରେ ରୋଡ଼ଫଣ୍ଡ ସ୍ଥାପିତ ହୋଇ ପଥନିର୍ମାଣ କାର୍ଯ୍ୟ ହେଲା । ଅବକାରୀ ଦୋକାନ ମାନଙ୍କରୁ ଯାହା ଆଦାୟ ହେଲା ତାହା ହାରାଧନ ବାବୁ ତହସିଲଦାରଙ୍କ ସମରେ ସ୍କୁଲ ଫଣ୍ଡରେ ପରିଣତ ହୋଇ ନିମ୍ନ ଓ ଅପର-ପ୍ରାଇମେରୀ ବିଦ୍ୟାଳୟମାନ ସଂସ୍ଥାପିତ ହେଲା । ଅନୁଗୋଳ ଓ କନ୍ଧମାଳ ଜିଲା ଦେବା ଦିନୁ ଗବର୍ଣ୍ଣମେଣ୍ଟ ସମସ୍ତ ସ୍କୁଲମାଳଙ୍କର ବ୍ୟୟ ପ୍ରଦେଶୀୟ ରାଜସ୍ୱରୁ ଦେବାରୁ ସ୍କୁଲଫଣ୍ଡ ଉଠିଗଲା ମଧ୍ୟ, ସମସ୍ତ ସ୍କୁଲ ଗବର୍ଣ୍ଣମେଣ୍ଟ ସ୍କୁଲ ମଧ୍ୟରେ ପରିଣତ ହେଲା । ଦୀନବନ୍ଧୁ ବାବୁ ୧୮୮୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ୨୬ ବର୍ଷ ତହସିଲଦାରୀ କର୍ମ କରି ପେନ୍‌‌ସନ୍ ଗ୍ରହଣ କଲେ । ଦୀନବନ୍ଧୁ ବାବୁଙ୍କ ଉତ୍ତାରୁ ବାବୁ ହାରାଧନ ଘୋଷ (୧୮୮୧-୧୮୮୮), ମୁନସି ମହମ୍ମଦ ଅଲି (୧୮୮୮-୧୮୮୮), * ମିଷ୍ଟର ଯେମସ୍ ହେନେରି ଟେଲର (୧୮୮୮-୧୮୯୧), ବାବୁ ଦର୍ପନାରାୟଣ ଦାସ (୧୮୯୧-୧୮୯୨), ମିଷ୍ଟର ଯେ. ସି. ଲଏଡ଼ (୧୮୯୨-୧୮୯୪), ମିଷ୍ଟର ଏଇଚ. ଏ. ଲେନ (୧୮୯୪)।

 

*

ଏହାଙ୍କ ସମୟରେ ବିଶିପଡ଼ାଠାରେ ପୁଷ୍କରିଣୀ ଖନନ ଓ ହାଟ ସ୍ଥାପିତ ହେଇଥିଲା ।

•••

 

ପରିଶିଷ୍ଟ

କନ୍ଧମାନଙ୍କର ରୀତି ନୀତି

 

ଜାତିଭାଗ–କନ୍ଧଜାତି ଦୁଇଭାଗରେ ବିଭକ୍ତ । ଓଡ଼ିଆ କନ୍ଧ ଓ ଅରିଆ ବା ନିଙ୍ଗୁଳି କନ୍ଧ । ଓଡ଼ିଆ କନ୍ଧଙ୍କ ଆଚାର ବ୍ୟବହାରାଦି ପ୍ରାୟ ଓଡ଼ିଆମାନଙ୍କ ପରି ଆଉ ଅରିଆ କନ୍ଧମାନେ ମହିଷ ଓ ବର୍ରାହାଦିର ମାଂସ ଭକ୍ଷଣ କରନ୍ତି । ଓଡ଼ିଆ କନ୍ଧମାନେ ତାହା କରନ୍ତି ନାହିଁ । ଏହି ଜାତୀୟ ପୁରୁଷମାନେ ୧୦/୧୨ ହାତ ଲମ୍ବ ଓ ୧ ହାତ ଓସାର ଲୁଗାକୁ କୌପିନ ମାରି ପିନ୍ଧନ୍ତି ଏବଂ ସ୍ତ୍ରୀମାନେ ସମସ୍ତ ଅଙ୍ଗ ଅନାବୃତ ରଖି କେବଳ କଟି ଦେଶରେ ଖଣ୍ଡେ ଲୁଗା ବେଢ଼େଇ ହୁଅନ୍ତି। ଏ ଦୁଇ ଜାତି ଛଡ଼ା କନ୍ଧମାନଙ୍କ ମଧ୍ୟରେ ବର୍ଣ୍ଣସଙ୍କର ଅଛନ୍ତି । ଯଥା–କନ୍ଧ-କୁମ୍ଭାର, କନ୍ଧ-ନୁହୁରା ଓ ତିଅଁ-ଲେଞ୍ଜୁ ଏମାନଙ୍କ ସହିତ କନ୍ଧମାନଙ୍କର ବିବାହାଦି କୌଣସି ସମ୍ପର୍କ ନାହିଁ ।

 

କନ୍ଧ ପାରିବାରିକ ନିୟମ–କନ୍ଧ ପରିବାର ମଧ୍ୟରେ ପିତା ଗୃହର କର୍ତ୍ତା ହୋଇ ସମସ୍ତ କାର୍ଯ୍ୟ ଚଳାନ୍ତି । ପିତା ଅନ୍ତେ ଜ୍ୟେଷ୍ଠ ପୁତ୍ର, କର୍ତ୍ତା ହୁଏ ମାତ୍ର ତାହାର ସ୍ତ୍ରୀ ଆସିଲେ ସେ ପିତା ଓ ଭ୍ରାତାଦିଙ୍କ ଠାରୁ ପୃଥକ୍ ହୋଇଯାଏ । ଏହି ରୀତିରେ ସମସ୍ତ କନ୍ଧ ପୁତ୍ରମାନେ-ପୃଥକ ୨ ହୋଇ ବାସ କରନ୍ତି ।

 

କନ୍ଧ ବିବାହ ପ୍ରଣାଳୀ–ପୁତ୍ର ବୟଃପ୍ରାପ୍ତ ହେଲେ ପିତା ପାତ୍ରୀ ସ୍ଥିର କରିବାକୁ କେତେକ ବ୍ୟକ୍ତିଙ୍କୁ ମଧ୍ୟସ୍ଥ କରି ପଠାଏ । ମଧ୍ୟସ୍ଥମାନେ ପାତ୍ରୀ ସ୍ଥିର କରି ସେଠାରୁ ଭୋଜି ଖାଇ ଫେରି ଆସନ୍ତି; ତତ୍ପରେ କନ୍ୟାର ମୂଲ୍ୟ ନିରୂପଣ ଦିନ ସ୍ଥିର ହେଲେ, ବରପିତା କନ୍ୟାପିତା ନିକଟରୁ ସମ୍ବାଦ ଦିଏ ଏବଂ ଗ୍ରାମର ଭାଦ୍ରାଭଦ୍ର ଜାତିମାନଙ୍କୁ ସଙ୍ଗରେ ଘେନି ଆଉ ପୋଡ଼ୁହ ଆଦି ସହ ବାଦ୍ୟ ବଜାଇ ନିରୂପିତ ସମୟରେ କନ୍ୟା ଗୃହରେ ଉପସ୍ଥିତ ହୁଏ । ସେ କନ୍ୟାର ମୂଲ୍ୟାଦି ସ୍ଥିର ପର ନେଇଥିବା ପୋଡ଼ୁହ ଆଦି ସମସ୍ତେ ଫେରି ଆସନ୍ତି, ଅନନ୍ତର ୨/୩ ବର୍ଷ ମଧ୍ୟରେ ବର ସମସ୍ତ ମୂଲ୍ୟାଦି ପ୍ରଦାନ କରି ମଧ୍ୟସ୍ଥମାନଙ୍କ ସହ କନ୍ୟା ଘରଠାରେ ଉପସ୍ଥିତ ହେଲେ ସେଠାରେ ଧାଙ୍ଗିଡ଼ୀ (ଅବିବାହିତା ଯୁବତୀ) ମାନେ ନାନା ପ୍ରକାର ବିଦ୍ରୂପ କରନ୍ତି ।

 

କନ୍ୟାକର୍ତ୍ତା ବରକୁ ଦେବାପାଇଁ ଧନୁ, ଟାଙ୍ଗି, ବନାତ ଓ ଗଜି (୨୦/୨୫ ହାତ ଲମ୍ବା କନ୍ଧ ପିନ୍ଧିବା ଲୁଗା, ନୋଳି ଏବଂ ସମର୍ଥ ପକ୍ଷରେ ସୁନାମାଳୀ ଓ ବଳା ଆଦି ପ୍ରସ୍ତୁତ କରାଇ ରଖିଥାଏ ମଧ୍ୟ କନ୍ୟା ନିମନ୍ତେ ସେହି ପ୍ରକାର ନୋଳି ଆଦି ଥାଏ । ବିଦାୟ ସମୟରେ ବର କନ୍ୟାଙ୍କୁ ସମସ୍ତ ଅଳଙ୍କାର ପିନ୍ଧିବାକୁ ଦିଅନ୍ତି । ବର କନ୍ୟା ଗୃହରୁ ବାହାରିବା ସମୟରେ ଦାଣ୍ଡଦ୍ୱାରରେ ଏକଗୋଟି ଜୁଆଳି ଓ ଏକ ଖଣ୍ଡ ପିଢ଼ା ଥାଏ, ସେଥିରେ ସେମାନେ ଠିଆ ହେଲେ ପୁଷ୍ପ ଓ ତଣ୍ଡୁଳ ସେମାନଙ୍କ ମସ୍ତକରେ ପଡ଼େ, ତହୁଁ ବଳବାନ୍ ଦୁଇଜଣ ଆସି ବର ଓ କନ୍ୟାକୁ ଉଠାଇ ନେଇ ଦ୍ରୁତପଦରେ ବର ଗୃହାଭିମୁଖେ ପ୍ରସ୍ଥାନ କରନ୍ତି ଏବଂ ତହିଁ ପଛେ ୨ କନ୍ୟାଯାତ୍ରୀମାନେ ବାଦ୍ୟାଦି ବଜାଇ ୨ ଆନନ୍ଦରେ ପ୍ରସ୍ଥାନ କରନ୍ତି । ଅନନ୍ତର ବରଘରଠାରେ ଉପସ୍ଥିତ ହେଲେ ଧାଙ୍ଗିଡ଼ୀ ନୃତ୍ୟାଦିଦ୍ୱାରା ଆମୋଦ ପ୍ରମୋଦ କରି ଏବଂ ମହିଷ ଓ ବରାହାଦିଦ୍ଵାରା ଭୋଜି ଖାଇ ସମସ୍ତ କନ୍ୟାଯାତ୍ରୀ ଫେରି ଯାଆନ୍ତି ।

 

ଧାଙ୍ଗିଡ଼ୀମାନେ ଅପେକ୍ଷାକୃତ ସ୍ଵାଧୀନା ଆଉ ଇଚ୍ଛାମତ ଗମନା ଗମନ କରି ରାତ୍ରରେ ଏକ ଗ୍ରାମରେ ସମସ୍ତ ଧାଙ୍ଗିଡ଼ୀମାନେ ଏକତ୍ରେ ଏକ ଗୃହରେ ଶୟନ କରନ୍ତି । ଆଉ ଇଚ୍ଛାକ୍ରମେ ସ୍ଵଚ୍ଛନ୍ଦରେ ପୁରୁଷମାନଙ୍କ ସହିତ ନିଷ୍ପାପ ଅମୋଦ ପ୍ରମୋଦ କରିପାରନ୍ତି ମଧ୍ୟ ପର୍ବାଦିରେ ଧାଙ୍ଗଡ଼ମାନଙ୍କ ଢେଙ୍କା ବାଦ୍ୟରେ ନୃତ୍ୟ କରନ୍ତି, ଏ ସମୟରେ ସ୍ତ୍ରୀ ପୁରୁଷର ଭେଦ ନ ଥାଏ । ମାତ୍ର ପରିଣୟସୂତ୍ରେ ଆବଦ୍ଧ ହେଲେ ସେ ସମସ୍ତ ଭାବ ଏକାବେଳକେ ଲୋପ ହୁଏ ।

 

ପଡ଼ଞ୍ଜୁପ୍ରଥା–ଯେବେ କୌଣସି ପୁରୁଷ କୌଣସି ସ୍ତ୍ରୀକୁ ଖରାପ କରେ ତେବେ ପୁରୁଷ ପଡ଼ଞ୍ଜୁ (କ୍ଷତିପୂରଣ) ଟଙ୍କା ଆଦି ଦିଏ । ତାହା ସ୍ତ୍ରୀର ସ୍ଵାମୀ ଓ ଧାଙ୍ଗଡ଼ୀ ହେଲେ ତାହାର କର୍ତ୍ତୃପକ୍ଷ ଗ୍ରହଣକରନ୍ତି । ମାତ୍ର ଅଧିକାଂଶ ଗ୍ରାମଲୋକମାନେ ମଦ ଖାଇବାକୁ ନିଅନ୍ତି ।

 

ବିଧବାପ୍ରଥା–ବିଧବାମାନେ ବିବାହ କରି ପାରନ୍ତି ମାତ୍ର ବିଧବାର ପୁତ୍ର କନ୍ୟା ନ ଥାଇ ଦେବର ଥିଲେ ସେ ସହଜରେ ତାକୁ ବିବାହ କରିପାରେ କିନ୍ତୁ ଅନ୍ୟ କେହି ବିବାହ କଲେ ତାହାର ପିତାକୁ ବିଧିମତେ ପଣ ପ୍ରଦାନ କରେ।

 

ଛାଡ଼ପତ୍ର ପ୍ରଥା–ସ୍ତ୍ରୀମାନେ ପୁରୁଷକୁ ଛାଡ଼ପତ୍ର ଦେଇପାରନ୍ତି ନାହିଁ ମଧ୍ୟ ଗର୍ଭବତୀ ସ୍ତ୍ରୀକୁ ପୁରୁଷ ଛାଡ଼ପତ୍ର ଦେଇ ପାରେ ନାହିଁ । ଯେବେ ସ୍ତ୍ରୀ, ଗୃହର କାହାରି ଖାଇବା ଆଗରୁ ଖାଏ ତେବେ ତାକୁ ବିଶେଷ ଅନିଷ୍ଟଜନକ ଦୋଷ ମନେ କରି କୁଟା ଛିଣ୍ଡାଇ ସ୍ତ୍ରୀକୁ ଛାଡ଼ପତ୍ର ଦିଅନ୍ତି । ଯେବେ ସେ ସ୍ତ୍ରୀ ସଙ୍ଗେ ଛାଡ଼ପତ୍ର ଦେବା ସମୟେ ପିଲା ଥାଏ ତେବେ ତାକୁ ସ୍ଵାମୀ ଗ୍ରହଣ କରିବ ମାତ୍ର ପିଲା ନିତାନ୍ତ ସାନ ହୋଇଥିଲେ ସ୍ତ୍ରୀର କର୍ତ୍ତୃପକ୍ଷମାନେ ପିଲା ବୟଃପ୍ରାପ୍ତ ହେବାଯାଏ ପାଖରେ ରଖି ତାହାର ପୁରୁଷକୁ ଫେରାଇ ଦେବେ କିନ୍ତୁ ପୁରୁଷ ଏହା ମଧ୍ୟରେ ମରିଗଲେ ସନ୍ତାନ ସ୍ତ୍ରୀର କର୍ତ୍ତୃପକ୍ଷୀୟ ଲୋକେ ରଖି ପାରିବେ । ସେ ସ୍ତ୍ରୀକୁ ପୁନରପି ତାହାର ସ୍ଵାମୀ ବିବାହ କଲେ ସ୍ତ୍ରୀ କର୍ତ୍ତୃପକ୍ଷକୁ ମହିଷ ଓ ବରାହ ଆଦି ଭୋଜି ଦେଇ ନେବ ମାତ୍ର ଅନ୍ୟ ଲୋକ ବିବାହ କଲେ ଭୋଜିଆଦି ଦେଇ ଅଧିକା ମହିଷ ଗୋଟିଏ ଦେବ ।

 

ପୂର୍ବେ କନ୍ଧମାନଙ୍କର ଅନେକ କୁପ୍ରଥା ଥିଲା ମାତ୍ର କ୍ରମେ ଲେଖାପଢ଼ା ଶିକ୍ଷା କରିବାରୁ ତାହା ସବୁ ସୁନିୟମରେ କରିବାର ବନ୍ଦୋବସ୍ତ କରୁଅଛନ୍ତି । ଆଉ ସେମାନଙ୍କର ପାଣ ପୁରୋହିତକୁ ବଦଳାଇବାର ଚେଷ୍ଟା କରୁଅଛନ୍ତି । ଏମାନଙ୍କ ଗୃହରୁ କେହି ମରିଗଲେ ଶୌଚାଦି କ୍ରିୟା ଚମତ୍କାରଜନକ ଅଟେ ।

Image